ଭାସିଗଲା ଟ୍ରକ୍, ଟ୍ରାଭେରା; ୩ ଡ୍ରାଇଭର ମୃତ

ଦେଓନଦୀରୁ ଯୁବକ ଉଦ୍ଧାର
ଭାସିଯାଇ ବୃଦ୍ଧା ନିଖୋଜ
କାନ୍ଥ ପଡ଼ି ଜଣେ ମୃତ, ଜଣେ ଆହତ

କେନ୍ଦୁଝର/ବାରିପଦା/କରଞ୍ଜିଆ/ବଡ଼ସାହି/ଖିଚିଂ : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳସ୍ତର ବଢ଼ିବାରେ ଲାଗିଛି। ନଦୀ ଫୁଲିବା ସହିତ ରାସ୍ତା ଉପରେ ପାଣିଜମି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହିଭଳି ଅବସ୍ଥାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ଭାସିଯାଇଥିବାବେଳେ ୩ ଜଣ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି ଆଉ ଜଣେ ଡ୍ରାଇଭର୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ସମାନ ଧରଣର ଅଘଟଣ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝରର ଜିଲ୍ଲାର ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଜଞ୍ଜାଳି ଗ୍ରାମ ନିକଟରେ ଥିବା ନାଳର ପ୍ରଖର ସ୍ରୋତରେ ଏକ ଟ୍ରାଭେରା(ଓଡି୦୫ଏ-୯୮୮୯) ଭାସି ଯାଇଥିବା ବେଳେ ଗାଡ଼ିର ଡ୍ରାଇଭର ମୃତ୍ୟୁବରଣ କରିଛନ୍ତି। ସେହିପରି ଆଜି ଅପରାହ୍ଣରେ ପାଟଣା ବଜାର ନିକଟସ୍ଥ ମଙ୍ଗଳପୁର ନାଳ ପୋଲରେ ଢେଙ୍କିକୋଟ ପଟୁ ପାଟଣା ଅଭିମୁଖେ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ଭାସି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଚାଳକକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ, ତୁରୁମୁଙ୍ଗା ପୋଲ ଠାରୁ ୨ଶହ ମିଟର ଦୂରରେ ଥିବା ଏକ ଘୋଷରା ପୋଲରେ ଅପରାହ୍ଣରେ ଟ୍ରକ୍‌ ଭାସିଯାଇ ଡ୍ରାଇଭର ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ, ବୁଧବାର ଦିନ ପ୍ରାୟ ୨ଟାବେଳେ ବୈତରଣୀ ନଦୀରେ ହଠାତ ବନ୍ୟାଜଳ ମାଡ଼ିଆସିବା ଫଳରେ ସାନପୋଲଟି ବୁଡ଼ିଯାଇଥିଲା। ଏହି ସମୟରେ ପୋଲ ଅତିକ୍ରମ କରୁଥିବା‌ ଏକ ୧୨ଚକିଆ ମାଲ୍‌ବାହୀ ଟ୍ରକ୍‌ ପ୍ରଖର ପାଣିସ୍ରୋତରେ ଭାସି ଯାଇଥିଲା। ଟ୍ରକ୍‌ରେ ଡ୍ରାଇଭର, ହେଲପରଙ୍କୁ ମିଶାଇ ଦୁଇଜଣ ଥିବା ବେଳେ ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଅନ୍ୟ ଏକ ଘଟଣାରେ କରଞ୍ଜିଆ ଏନ୍‌ଏସି ନୂଆସାହିର ନିଖିଲ କାମିଳା ନାମକ ଜଣେ ଯୁବକ ସାଙ୍ଗମାନଙ୍କ ସହ କାଠ ସଂଗ୍ରହ ପାଇଁ ଦେଓ ନଦୀ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ନଦୀ ପାର ହେବା ବେଳେ ହଠାତ୍‌ ଜଳସ୍ରୋତ ବଢ଼ିଯିବାରୁ ନିଖିଲ ଭାସିଯାଇଥିଲେ। ସୌଭାଗ୍ୟବଶତଃ ନଦୀଗର୍ଭରେ ଥିବା ଏକ ଗଛକୁ ଧରି ସେ ରହିଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ତାହା ସମ୍ଭବପର ହୋଇନଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ନିଖିଲଙ୍କୁ ଭରାନଈରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ।

କରୋନା ପରୀକ୍ଷା କରି ଘରକୁ ଫେରିବାବେଳେ ବଡ଼ସାହି ବ୍ଲକ୍‌ ଭୀମଦା ପଞ୍ଚାୟତ ଅର୍ଜୁନବାରିଆ ଗ୍ରାମର ପଞ୍ଚାନନ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା (୬୨) ବନ୍ୟାଜଳରେ ଭାସି ଯାଇଛନ୍ତି। ସ୍ନେହଲତାଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସ୍ନେହଲତା ନିଜ ପରିବାରର ଅନ୍ୟ ୩ ଜଣଙ୍କ ସହ ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ ଆଜି ବଡସାହି ଡାକ୍ତରଖାନାକୁ ଆସି ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ। ମାଣତ୍ରି-ଭୀମିଦା ରାସ୍ତାର ବିତନୁ ଚଟାଣ ଉପରେ ଗଙ୍ଗାହାର ନଦୀର ବନ୍ୟାପାଣି ଚାଲୁଥିବାରୁ ଆଗକୁ ଯାଇ ନପାରି ଆମ୍ବୁଲାନ୍ସଟି ଫେରି ଯାଇଥିଲା। ପରିବାର ଲୋକଙ୍କ ସହ ହାତ ଧରାଧରି ହୋଇ ଚଟାଣ ପାର ହେଉଥିଲେ ସ୍ନେହଲତା। ଏହି ସମୟରେ ବନ୍ୟାପାଣିରେ ହଠାତ୍‌ ଏକ ଲଟାବୁଦା ଭାସି ତାଙ୍କ ଦେହରେ ବାଜିବାରୁ ଛନ୍ଦି ହୋଇ ସେ ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସ୍ନେହଲତାଙ୍କର କୌଣସି ସନ୍ଧାନ ମିଳିପାରିନି।

ଶୁକୃଳି ବ୍ଲକ୍‌ ଜାମୁତି ପଞ୍ଚାୟତ ମହୁଲିଆଶୂଳି ଗାଁରେ ଘର କାନ୍ଥ ଭୁଶୁଡ଼ିବାରୁ ମାର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି। ପରିବାର ଲୋକେ ଶୋଇଥିବାବେଳେ ଆଜି ଭୋର୍‌ ସମୟରେ ଘରକାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ନନ୍ଦିନୀ ମୁଣ୍ଡା (୬୨) ଓ ତାଙ୍କ ଝିଅ ଶ୍ରୀମତୀ ମୁଣ୍ଡା (୪୦) କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ନନ୍ଦିନୀଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀମତୀ ଗୁରୁତର ଆହତ ହୋଇଥିଲେ। ଶ୍ରୀମତୀଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଏବଂ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖିଚିଂ ପଞ୍ଚାୟତ ଜାମଦାପାଳ ଗ୍ରାମର ସୋନୁ ନାଏକଙ୍କ ଘର କାନ୍ଥ ଭୁଶୁଡ଼ିଯିବାରୁ ତାଙ୍କ ୧୪ ବର୍ଷର ଝିଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର