କଟକ : ଗଞ୍ଜେଇ ମାଫିଆଙ୍କ ସହିତ ହାତ ମିଳାଇବା ଅଭିଯୋଗରେ ପୁଣି ଚାକିରିରୁ ତଡ଼ା ଖାଇଲେ ତିନି ଅବକାରୀ କର୍ମଚାରୀ। ଗଞ୍ଜେଇ ବୋଝେଇ ଗାଡ଼ିକୁ ଧରିବା ବଦଳରେ ଏସକର୍ଟ କରିବା ଭଳି ସଂଗିନ ଅଭିଯୋଗରେ ଅବକାରୀ ଏଏସ୍ଆଇ ଔରୋପାଳକ ଦାସ, କନଷ୍ଟେବଳ ତ୍ରିଲୋଚନ ରାଇଛେତି ଓ ଆର୍. ଭେଙ୍କଟେଶ କୁମାରଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନିଆଯାଇଛି। କୋରାପୁଟ ଜିଲ୍ଲା ପୁଲିସ ଏହି ତିନି ଅବକାରୀ କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ବୁଧବାର ଏକ ନିର୍ଦ୍ଦେଶନାମା ଅବକାରୀ କମିସନର୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଉପରୋକ୍ତ ତିନି ଜଣ କୋରାପୁଟ ଜିଲ୍ଲା ଅବକାରୀ ଥାନାରେ କାର୍ଯ୍ୟ କରୁଥିଲେ। କିନ୍ତୁ ସେମାନେ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସହଯୋଗର ହାତ ବଢ଼ାଇଥିଲେ। ଗଞ୍ଜେଇ ଭର୍ତ୍ତି ଟ୍ରକ୍ଗୁଡିକୁ ନିୟମିତ ଏହି ତିନି ଜଣ ଅବକାରୀ କର୍ମଚାରୀ ସୁରକ୍ଷା ଯୋଗାଇ ଆସୁଥିଲେ। ଅବକାରୀ ବିଭାଗର ଏହି ଅସାଧୁ କର୍ମଚାରୀଙ୍କ ଏଭଳି ପ୍ରୋତ୍ସାହନ ବଳରେ ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରିବାରେ ସଫଳ ହୋଇପାରୁଥିଲେ। ବିଭାଗର ଏହି ଅଧିକାରୀଙ୍କ ପ୍ରୋତ୍ସାହନରେ ଯେହେତୁ ଅପରାଧ ହେଉଥିଲା, ସେଥିପାଇଁ ନିଶା ମାଫିଆମାନେ ଅବକାରୀ ବିଭାଗର ଗିରଫଦାରୀରୁ ବଞ୍ଚିଯାଉଥିଲେ। ୨୦୨୨ ସେପ୍ଟେମ୍ବର ୧୮ରେ ଗଞ୍ଜେଇ ଗାଡ଼ି ଚାଲାଣ ବେଳେ ଏଏସ୍ଆଇ ଔରପାଳକ, କନଷ୍ଟେବଳ ତ୍ରିଲୋଚନ ଓ ଭେଙ୍କଟେଶକୁ ପଟାଙ୍ଗୀ ଥାନା ପୁଲିସ ଗିରଫ କରିଥିଲା। ଏନ୍ଡିପିଏସ୍ ଆକ୍ଟରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତିନିଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଏବେ କୋରାପୁଟ ଅତିରିକ୍ତ ସେସନ୍ସ କୋର୍ଟରେ ମାମଲାର ପ୍ରାଥମିକ ଚାର୍ଜସିଟ ଦାଖଲ ହୋଇଛି। ଏଭଳି ପରିସ୍ଥିତିରେ ଅବକାରୀ କମିସନର୍ ନରସିଂହ ଭୋଳ ଏହି ତିନିଜଣଙ୍କୁ ଚାକିରିରୁ ବହିଷ୍କାର କରିଥିବା ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଠାରେ ସୂଚନାଯୋଗ୍ୟ, ଗଲା ୨୪ ତାରିଖରେ କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଦୀପକ ରାୟଗଡା ଜିଲ୍ଲା ଅବକାରୀ ଥାନାରେ କାର୍ଯ୍ୟ କରିବା ସହ ଘରେ ଗଞ୍ଜେଇ ଗୋଦାମ ଖୋଲିଥିଲା। ଗଲା ମାର୍ଚ୍ଚ ୧୪ ତାରିଖରେ ରାୟଗଡା ଟାଉନ୍ ଥାନା ପୁଲିସ କସ୍ତୁରୀନଗରସ୍ଥିତ ଦୀପକର ଭଡ଼ା ଘରୁ ୪୨କିଲୋ ୨୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ଦୀପକକୁ ପୁଲିସ ଗିରଫ କରି ଜେଲ୍ ପଠାଯାଇଥିଲା।