ସମ୍ବଲପୁର/ବଲାଙ୍ଗୀର/ଧମା: ଚଳିତ ବର୍ଷ ଚାଷୀମାନେ ଧାନର ବୋନସ୍‌ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଏହା ସତ୍ତ୍ବେ ଖରିଫ ଚାଷ ଚାଲିଥିବାବେଳେ ଗୋଟିଏ ମାସ ମଧ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଯାହା ବର୍ତ୍ତମାନ ଆଲୋଡ଼ନ ସୃଷ୍ଟି କରିଛି। ମାତ୍ର ୨୫ ବର୍ଷ ବୟସରେ ଭାଗଚାଷୀ ତରଣୀ ରୋହିଦାସଙ୍କ ମୃତ୍ୟୁ ପରେ ତାଙ୍କ ୨ ବର୍ଷୀୟ ଶିଶୁ ସହିତ ପତ୍ନୀଙ୍କ ଗର୍ଭରେ ଥିବା ଶିଶୁ ଜନ୍ମ ହେବା ପୂର୍ବରୁ ବାପଛେଉଣ୍ଡ ହୋଇ ପଡ଼ିଛନ୍ତି। ପରିବାରର ସୂଚନା ଅନୁସାରେ, ଅଦିନିଆ ବର୍ଷା ଯୋଗୁଁ ତରଣୀଙ୍କ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ତେଣୁ ପହ୍ଲା ଖରାପ ହୋଇଯାଇଥିଲା। ଫଳରେ ଚାପଗ୍ରସ୍ତ ହୋଇ ତରଣୀ ଆତ୍ମହତ୍ୟା କରିଥିଲେ। 

Advertisment

ଗତମାସ ବଲାଙ୍ଗୀରରେ ଏହିଭଳି ଅଭାବନୀୟ ସ୍ଥିତିରେ ୨ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ କୁରସୁଡ଼ ପଞ୍ଚାୟତ କଣ୍ଡରା ଗ୍ରାମର କପାଚାଷୀ ଦୁର୍ଗାଚରଣ ଭୋଇ ମାତ୍ର ୧୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁର୍ଗା କିଛିମାସ ତଳେ ବିଜୟନଗରମ୍‌ ଏୟାରପୋର୍ଟକୁ କୌଣସି କମ୍ପାନି ତରଫରୁ କାମ କରିବାକୁ ଯାଇଥିଲେ। କାମ କରିବା ସତ୍ତ୍ୱେ ପାରିଶ୍ରମିକ ନ ପାଇବାରୁ ସେଠାରୁ ଘରକୁ ଫେରି ଆସିଥିଲେ। ଦୁର୍ଗା ଓ ତାଙ୍କ ସ୍ତ୍ରୀ ଆଶୀର୍ବାଦ ମାଇକ୍ରୋଫାଇନାନ୍ସ, ସ୍ବତନ୍ତ୍ର ମାଇକ୍ରୋଫାଇନାନ୍ସ, ପିଏନ୍‌ବି ତଥା ଏସ୍‌ଏଚ୍‌ଜିରୁ ଋଣ କରିଥିଲେ। ପ୍ରତିମାସ ଋଣ କିସ୍ତି ନେବା ପାଇଁ ଫାଇନାନ୍ସ କମ୍ପାନିର କର୍ମଚାରୀ ବାରମ୍ବାର ଘରକୁ ଆସୁଥିବାରୁ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। କୃଷି ପ୍ରତିନିଧି ଦଳ ଆସି ତାଙ୍କ ଫସଲର ସମୀକ୍ଷା ମଧ୍ୟ କରିଥିଲେ। ଆଜି ପର୍ଯ୍ୟନ୍ତ ପରିବାରର ସମସ୍ୟା ସମାଧାନ ହୋଇ ନାହିଁ।

ଏହି ଘଟଣାର ୧୫ ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଦନ୍ଦରା ଗାଁରେ ଋଣ ଚିନ୍ତାରେ ରାଜକୁମାର ପାତ୍ର ବିଷ ପିଇଥିବା ଅଭିଯୋଗ ହୋଇଥିଲା। ପରିବାରର ସୂଚନା ମୁତାବକ, ରାଜକୁମାର ଧାନ ଓ ଛତୁଚାଷ ପାଇଁ କରଜ କରିଥିଲେ। କିନ୍ତୁ ବର୍ଷାଭାବ ଯୋଗୁଁ ଫସଲ ନଷ୍ଟ ହୋଇ ଯାଇଥିବାରୁ ସେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିବା କୁହାଯାଉଛି। ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଝିଅ ଅସହାୟ ହୋଇ ପଡ଼ିଛନ୍ତି। ଚାଷୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି। ସୁଧମୁକ୍ତ ଋଣ ସହିତ ଚଳିତ ବର୍ଷ ବୋନସ୍‌। ତଥାପି କୃଷି ସମସ୍ୟାର ସମାଧାନ ନ ହେବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟୁଥିବା କୁହାଯାଉଛି।