ସମ୍ବଲପୁର: ଶୁକ୍ରବାର ହୀରାକୁଦ ବନ୍ଧର ୩ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି କାରଣରୁ ଦିନ ୩ଟା, ରାତି ୮ଟା ୩୦ ଓ ରାତି ୧୦ଟା ୩୦ରେ ଗୋଟିଏ ଲେଖାଏଁ ଗେଟ୍ ଖୋଲା ଯାଇଛି। ଶୁକ୍ରବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟତ୍ ଥିଲା। ସେହି ସମୟରେ ଜଳଭଣ୍ଡାରକୁ ୭୩,୧୪୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା।
ସେଥିରୁ ସ୍ପିଲ୍ୱେ’ର ୨ଟି ଗେଟ୍ ଦେଇ ୩୨,୮୮୦ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୫,୩୦୧ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ ଦେଇ ୩,୯୬୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୨୪୩ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୨୪୩ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।