ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ : ବନ୍ଦ ହେଲା ୩, ୧୭ଟି ଗେଟ୍‌ ଖୋଲା

ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ୩୧ରେ

ସମ୍ବଲପୁର : ମଂଗଳବାର ହୀରାକୁଦ ଜଳଭଣ୍ଡାରର ୨୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ବେଳେ ବୁଧବାର ୩ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା କାରଣରୁ ଏବେ ୧୭ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୪.୪୭ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ୧ ଲକ୍ଷ ୩୦ ହଜାର ପାଣି ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ୨ ହଜାର କ୍ୟୁସେକ କେନାଲ ଏବଂ ୧୧ ହଜାର କ୍ୟୁସେକ ଜଳ ପାଓ୍ଵାର ଚାନେଲ ଦେଇ ନିଷ୍କାସନ କରାଯାଉଛି। ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ହୋଇନଥିବାରୁ ଆସନ୍ତାକାଲି ଜଳପ୍ରବେଶ ମାତ୍ରାକୁ ଦେଖି ଗେଟ୍‌ ବନ୍ଦ କରାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଅପର୍‌ ମହାନଦୀ ବେସିନ୍‌ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ମଂଗଳବାର ମଧ୍ୟାହ୍ନ ୧୨ଟାରେ ଜଳସ୍ତର ୬୧୮.୦୨ ଫୁଟ୍‌ ରହିଥିଲା। ଜଳସ୍ତର ୬୦୯ ଫୁଟ୍‌କୁ ଆସିବା ପର୍ଯ୍ୟନ୍ତ ଗେଟ୍‌ଗୁଡ଼ିକ ଖୋଲା ରହିବ ବୋଲି କୁହାଯାଇଛି।

ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ୩୧ରେ

ସମ୍ବଲପୁର :ମହାନଦୀ ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗ ମଧ୍ୟରେ ଏକ ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ। ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଆଦାନ ପ୍ରଦାନ, ମହାନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ଆଦି ପ୍ରସଂଗ ଉପରେ ମୁଖ୍ୟତଃ ଏହି ବୈଠକରେ ଆଲୋଚନା କରାଯିବ। ବୈଠକରେ ଉଭୟ ରାଜ୍ୟ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ, ବନ୍ଧ ସୁରକ୍ଷା ନିର୍ଦେଶକଙ୍କ ସମେତ ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ, ଛତିଶଗଗଡ଼ ଜଳସଂପଦ ବିଭାଗର ବିଲାସପୁର ଓ ରାୟଗଡ଼ର ଅଧୀକ୍ଷଣ ଯନ୍ତ୍ରୀ ଯୋଗେ ଦେବେ ବୋଲି ଜଣାପଡ଼ିଛି। ଓଡ଼ିଶାକୁ ମହାନଦୀର ପ୍ରବେଶସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍‌ମା ବ୍ୟାରେଜ୍‌। କଲ୍‌ମା ଉପରେ ପୁଣି ମହାନଦୀରେ ସାରାଡ଼ିହ, ବସନ୍ତପୁର, ମିରୋନି, ସିଉରି ନାରାୟଣ, ସମୋଦା ଆଦି ୫ଟି ବ୍ୟାରେଜ ରହିଛି। ଏସବୁ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ସଂକ୍ରାନ୍ତରେ ସୂଚନା ପ୍ରଦାନ ନେଇ ଆଲୋଚନା ହେବ। ଅଣମୌସୁମୀ ଋତୁରେ ଛତିଶଗଡ଼ ସରକାର ଏସବୁ ବ୍ୟାରେଜ ପାଣିକୁ ଅଟକାଇ ରଖୁଥିବାରୁ ଓଡ଼ିଶା ଜଳ ସଂପଦ ବିଭାଗ ପକ୍ଷରୁ ଏ ନେଇ ଆପତ୍ତି ଉଠାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର