ଇନ୍ଦ୍ରାବତୀ ଜଳଭଣ୍ଡାର ୩ ଗେଟ୍‌ ଖୋଲିଲା : ଆସୁଛି ବଡ଼ ବନ୍ୟା

କୋରାପୁଟର ୭ ପଞ୍ଚାୟତ ଲୋକଙ୍କୁ ସ୍ଥାନାନ୍ତର, ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ/ଜୟପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭର୍ତି ହୋଇଯାଇଛି ଇନ୍ଦ୍ରାବତୀ ଜଳଭଣ୍ଡାର। ତେଣୁ ପରିସ୍ଥିତିର ମୁକାବିଲ କରିବା ପାଇଁ ଜଳଭଣ୍ଡାରର ୩ଟି ଗେଟ୍‌ ଖୋଲାଯାଇଛି। ଯାହାଫଳରେ କୋରାପୁଟକୁ ମାଡ଼ି ଆସୁଛି ବଡ଼ ବନ୍ୟା। ଆଜି ରାତିରେ ଉପରମୁଣ୍ଡରେ ହୋଇଥିବା ବର୍ଷା ଯୋଗୁଁ ବନ୍ୟାଜଳ ଡ୍ୟାମରେ ପହଞ୍ଚିବା ପରେ ସ୍ଥିତି ଆହୁରି ବିଗିଡିବ ବୋଲି ଅନୁମାନ କରାଯାଉଛି। ଡ୍ୟାମର ବିପଦ ସଙ୍କେତ ସ୍ତର ୫୪୨ଫୁଟ ରହିଥିବାବେଳେ ବର୍ତମାନ ଡ୍ୟାମରେ ୫୪୭ ଫୁଟ ପାଣି ଗଚ୍ଛିତ ହୋଇ ସାରିଲାଣି। ଅପରପକ୍ଷରେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାର ଅଧିକ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କୋଟପାଡ ବ୍ଲକର ୭ଟି ପଞ୍ଚାୟତର ୧୨ଟି ଗାଁର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସଡରଙ୍ଗ, ଗିର୍ଲା, ଗୁମୁଡା, ଗୁଆଳି, ଡମଣାହାଣ୍ଡି, ସୁତିପଦର ଓ ଚାନ୍ଦିଲିରେ ଥିବା ଆଶ୍ରୟ ସ୍ଥଳରେ ରଖାଯାଇଛି। ଏହାସହ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି ଡିଆରଡିଏ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ଓଡ୍ରାଫ ଓ ମେଡିକାଲ ଟିମ ସହ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିରିହାଣ୍ଡି ନିକଟ ୬୩ ନମ୍ବର ଜାତୀୟ ରାଜପଥ ଉପରେ ସାଢେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଓଡ଼ିଶାରୁ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଠାରେ ବନ୍ୟାଜଳର ସ୍ରୋତ ପ୍ରଖର ରହିଥିବାରୁ ଗାଡି ଚଳାଚଳାକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି।

ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବୋରିଗୁମ୍ମା ବ୍ଲକର ସିଙ୍ଗାରୀ ନଦୀରେ ବନ୍ୟା ଆସିଥିବା ଜଣାପଡିଛି। ବୋରିଗୁମ୍ମା ତହସିଲଦାର ପ୍ରଣୟ ରଞ୍ଜନ ବେହେରା କହିଛନ୍ତି ଯେ ସାନଇନ୍ଦନପୁର, ବଡଇନ୍ଦନପୁର, ଗୁରୁମାଇଗୁଡା ପରି ଅତି ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖାଯାଇଛି। ଇନ୍ଦ୍ରବାତୀ ଡ୍ୟାମରୁ ଜଳ ଛଡାଯାଇଥିବାବେଳେ ମୁରାନ ଡ୍ୟାମରୁ ମଧ୍ୟ ଜଳ ଛଡାଯିବକୁ ଯୋଜନା ରହିଛି। ତେଣୁ କୋଟାପାଡ ବ୍ଲକର ତଳି ଅଞ୍ଚଳରେ ରହିଥିବା ଗାଁର ଲୋକଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର