ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୫ମସିହାରେ କୋଟପାଡ ଥାନା ଅଂଚଳରେ ଜୈନେକା ନାବାଳିକାକୁ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ  ବିଚାର କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସାନ ମାଝୀ, ଓ ଅନ୍ୟ ଦୁଇ ସହ ଅଭିଯୁକ୍ତ ଯୁଧିଷ୍ଠି ପୁଜାରୀ ଓ ସନପତି ଭତରାଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଆଦାୟ କରାଯାଇଥିବା ଜୋରିମାନାର ୪୫ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଗତ ୨୦୧୫ମସିହା ପେବୃଆରୀ ୪ତାରିଖ ଦିନ କୋଟପାଡ଼ ଥାନା ଅଂଚଳର ଜୈନେକା ନାବାଳିକା ଅନ୍ୟ ଦୁଇ ନାବାଳିକାଙ୍କ ସହ କୋଟପାଡ଼ ସହରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଆସିଥିଲେ।  ସଂଧ୍ୟା ୬ଟା ବେଳେ ଘରକୁ ଫେରୁଥିଲେ। ଏସମୟରେ ଗୋଟିଏ କାରରେ ତିନି ଜଣ ଅଭିଯୁକ୍ତ କୋଟପାଡ଼ ଥାନା ଅଂଚଳର ବେଣ୍ଟାଗୁଡ଼ାର ସାନ ମାଝୀ, ପେଣ୍ଟାଗୁଡ଼ାର ଯୁଧିଷ୍ଠି ପୁଜାରୀ, ମେଣ୍ଟାଗୁଡ଼ାର ସନପତି ଭତରା ସେ ରାସ୍ତାରେ କାର ରଖିଥିଲେ। କାରରୁ ୩ଜଣ ଯାକ ଓହ୍ଲାଇ ଦୁଇ ଜଣ ନାବାଳିକାଙ୍କୁ ମାଡ଼ ମାରି ରାସ୍ତା ଉପରେ ପକାଇ ଦେଇ ଗୋଟିଏ ନାବାଳିକାଙ୍କୁ ଜୋର ଜବରଦସ୍ତ କାରରେ ବସାଇ ନେଇଯାଇଥିଲେ। ଗୋଟିଏ କାଜୁ ବାଡ଼ ମଧ୍ୟରେ ନାବାଳିକାଙ୍କୁ ଓହ୍ଲାଇ ପ୍ରଥମେ ମୁଖ୍ୟଅଭିଯୁକ୍ତ ସାନ ଦୁଷ୍କର୍ମ କରିଥିଲା। ଏହା ଫରେ ତିନି ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ଗାଁକୁ ନେଇ ଛାଡ଼ି ଫେରାର ହୋଇ ଯାଇଥିଲେ।

ଏ ନେଇ ନାବାଳିକା ଜଣକ ପରିବାରବର୍ଗକୁ ଅବଗତ କରିବା ପରେ ତାଙ୍କ ଭାଇ ସେଦିନ ରାତି ସାଢ଼େ ୧୦ଟାରେ କୋଟପାଡ଼ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଗ୍ରହଣ କରି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ତିନି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ  ଦଫା ୩୭୬(ବି), ୩୬୬ ଓ ୬ପକ୍ସ ଆକ୍ଟରେ ମାମଲା ରୁଜୁ କରିଥିଲେ। ପୁଲିସ ତିନି ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଳାଣ କରିଥିଲେ।

ଏହି ମାମଲାରେ ୧୪ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଯଦିଓ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ ହେଁ ଅନ୍ୟ ଦୁଇ ସହ ଅଭିଯୁକ୍ତଙ୍କର ଉଦେଶ୍ୟ ବି ଦୁଷ୍କର୍ମ କରିବାକୁ ରହିଥିବାରୁ ମାନ୍ୟବର କୋର୍ଟ ଏହି ମାମଲାକୁ ଗଣଦୁଷ୍କର୍ମ ଭାବେ ଗଣନା କରି ଶୁଣାଣି କରିଥିଲେ। ଅଭିଯୁକ୍ତ ତିନି ଜଣଙ୍କୁ ୬ପକ୍ସ ଆକ୍ଟରେ ୨୦ବର୍ଷର ସଶ୍ରମକାରାଦଣ୍ଡାଦେଶ ସହ ଜଣକା ୨୦ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ବର୍ଷକ ସଶ୍ରମ କାରାଦଣ୍ଡ ଭୋଗିବାକୁ କୁହାଯାଇଛି। ସେଭଳି ଦଫା ୩୬୬ରେ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ହଜାର ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି। ଏହି ଜରିମାନା ଅନାଦେୟ ଆଉ ୩ମାସ ସଶ୍ରମ କାରାଦଣ୍ଡା ଭୋଗିବାକୁ ନିର୍ଦେଶ ଦେଇଛନ୍ତି।  ତେବେ ଉଭୟ ଦଣ୍ଡାଦେଶ ମିଳିତ ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି। ତିନି ଅଭିଯୁକ୍ତଙ୍କଙ୍କୁ ନିକଟରୁ ଆଦାୟ ହୋଇଥିବା ଜରିମାନା ୭୫ହଜାର ଟଙ୍କାରୁ ୪୫ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧିର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର