ଲମତାପୁଟ : ପିଜୁଳି ଖାଇବାକୁ ପୋଖରୀ ହିଡ଼କୁ ଯାଇଥିଲେ ୩ ସାଙ୍ଗ। ପରେ ପୋଖରୀରେ ଗାଧୋଇଥିଲେ। ଆଉ ପାଦ ଖସିଯିବାରୁ ୩ ସାଙ୍ଗ ପାଣିରେ ବୁଡ଼ିଗଲେ। ସାଥୀ ହୋଇ ଖେଳାବୁଲା କରୁଥିବା ୩ ନାବାଳିକା ଆଜି ଏମିତି ହାତ ଧରାଧରି ହୋଇ ମୃତ୍ୟୁର କୋଳକୁ ଚାଲିଯାଇଛନ୍ତି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବନମାଳିପୁଟ ଗ୍ରାମ ପଂଚାୟତର ଦେବଗନ୍ଧଣା ଗ୍ରାମରେ ଆଜି ଏଭଳି ଦୁଃଖଦାୟକ ଘଟଣା ଘଟିଛି। ପରେ ଅଗ୍ନିଶମ ବାହିନୀ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିବା ପରେ ଏକ ଶୋକାକୁଳ ପରିବେଶରେ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଦେବଗନ୍ଧଣା ଗ୍ରାମର ପୂଜା ତାମିଲି (୧୨), ଲିକିତା ଦଳପତି (୧୩) ଓ ସନ୍ତୋଷୀ ପାତ୍ର(୧୪) ଆଜି ସକାଳୁ ଗ୍ରାମ ନିକଟସ୍ଥ ତାରିଣୀ ପୋଖରୀ ନିକଟକୁ ପିଜୁଳି ଖାଇବା ପାଇଁ ଯାଇଥିଲେ। ସେଠାରେ ସେମାନେ ପିଜୁଳି ଖାଇବା ସହ ଖେଳାବୁଲା କରିଥିଲେ। ପରେ ପୋଖରୀରେ ଗାଧୋଇଥିଲେ ୩ ସାଙ୍ଗ। କିନ୍ତୁ ଗାଧୋଇବା ସମୟରେ ପାଦ ଖସିଯିବାରୁ ଗଭୀର ଜଳକୁ ପଶି ଯାଇଥିଲେ। ପାଣିରେ ବୁଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ସେମାନେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ପୋଖରୀ ଆଡ଼କୁ ସେମାନେ ଯାଇଥିବା ଜାଣିବା ପରେ ସଂପର୍କୀୟ ପୋଖରୀ କୂଳକୁ ଯାଇଥିଲେ। ସେଠାରେ ପିଲାଙ୍କର ଚପଲ ଭାସୁଥିଲା। ତେଣୁ ପିଲାମାନେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ ପରିବାର। ଏ ନେଇ ନନ୍ଦପୁର ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ୩ ନାବାଳିକାଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଗାଁରେ ସେମାନଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶରେ ସମ୍ପନ୍ନ କରାଯାଇଛି। ଏଥିରେ ଗ୍ରାମବାସୀ ସାମିଲ ହୋଇଥିଲେ।
ବିଭୂତି ଭୂଷଣ ପାତ୍ରଙ୍କ ଝିଅ ସନ୍ତୋଷୀ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଘେନୁ ତାମିଲଙ୍କ ଝିଅ ପୂଜା ତାମିଲ ପଂଚମ ଓ ସୋମନାଥ ଦଳପତିଙ୍କ ଝିଅ ଲିକିତା ଦଳପତି ପଂଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଏମାନଙ୍କ ମୃତ୍ୟୁ ଖବର ଚାରିଆଡ଼େ ପ୍ରଚାର ହେବାରୁ ଆଖପାଖ ଗ୍ରାମର ଲୋକମାନେ ଆସି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଘଟଣାସ୍ଥଳରେ ମାଛକୁଣ୍ତ ତହସିଲଦାର ମାନସ ରଂଜନ ପଟନାୟକ ପହଞ୍ଚି ତଦନ୍ତ କରିଛନ୍ତି। ଏପଟେ ସରକାରଙ୍କ ରେଡକ୍ରସ ପାଣ୍ଠିରୁ କୋରାପୁଟ ବିଧାୟକ ରଘୁରାମ ପଡାଲ ମୃତକଙ୍କ ପରିବାର ଲୋକଙ୍କୁ ୧୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ସେହିପରି ଲମତାପୁଟ ବ୍ଲକ ଅଧକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଲ, ବିଜେଡି ନେତା ରଘୁରାମ ମାଛ, ଯୁବ ବିଜେଡି ନେତା ମୁନା ଦଳପତି ଉପସ୍ଥିତ ରହି ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।
ବନ୍ୟାଜଳରେ ବୁଡ଼ି ଶିଶୁକନ୍ୟା ମୃତ
ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ ଭରିଗଦା ଗ୍ରାମପଞ୍ଚାୟତ ଦଶଭଗାରିଆ ଗ୍ରାମରେ ବନ୍ୟାପାଣିରେ ବୁଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି।
ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମର କୁଳମଣି ବେହେରାଙ୍କ ୨ବର୍ଷ ୮ମାସର କନ୍ୟା ଶ୍ରୁତି ପରିବାର ଲୋକଙ୍କ ଅଲକ୍ଷ୍ୟରେ ଘର ପଛପାଖକୁ ଚାଲିଯାଇ ବନ୍ୟାପାଣିରେ ବୁଡ଼ି ଯାଇଥିଲା। ଶ୍ରୁତିକୁ ନପାଇ ପରିବାର ଲୋକେ ଖୋଜାଖୋଜି କରିବାରୁ ବାଡ଼ିପଟେ ଚପଲ ପଡ଼ିଥିବା ଦେଖିଥିଲେ। କିଛି ସମୟ ପରେ ଶ୍ରୁତିକୁ ବନ୍ୟାଜଳରୁ ଉଦ୍ଧାର କରାଯାଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/drown-in.jpg)