ଦଶମନ୍ତପୁର :କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦର ସେବାଶ୍ରମର ୩ଜଣ ଛାତ୍ରୀଙ୍କୁ କେହି ଦୁର୍ବୃତ୍ତ ଆଜି ଅପହରଣ କରି ନେଇଥିଲେ। ୭ ଘଣ୍ଟା ପରେ ଅପହରଣକାରୀମାନେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିଲା। କିଛି ଦୁର୍ବୃତ୍ତ ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଏକ ବଲେରୋରେ ବସାଇ ନେଇ ଯାଇଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ହଷ୍ଟେଲ କର୍ତୃପକ୍ଷ ନିଖୋଜ ଛାତ୍ରୀଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ।

ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲା। କିନ୍ତୁ କାହାରି ଖୋଜଖବର ନମିଳିବାରୁ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ଥାନା ଅଧିକାରୀ ଏକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ଅନ୍ୟପକ୍ଷରେ ଅପହରଣ ସଂପର୍କରେ ଖବର ପାଇ ପରିବାର ଲୋକ ଚିନ୍ତାରେ ପଡିଥିଲେ।

ଘଟଣାର ୭ଘଣ୍ଟା ପରେ ହଠାତ୍‌ ଛାତ୍ରୀମାନେ ହଷ୍ଟେଲକୁ ଚାଲି ଚାଲି ଫେରିଥିଲେ। ଅପହର୍ତ୍ତା ସମସ୍ତଙ୍କୁ କୋରାପୁଟ-ପୋଡାଗଡ ରାସ୍ତା ପାର୍ଶ୍ୱରେ ପକାଇ ଦେଇ ଚାଲି ଯାଇଥବା ଅପହୃତ ୩ଜଣ ଛାତ୍ରୀ କହିଛନ୍ତି। ଏହି ଘଟଣା ପରେ ଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହିଥିବାରୁ ମୁଖାପିନ୍ଧା ଯୁବକ ମାନେ କିଏ ଏବଂ ସେମାନଙ୍କୁ କେଉଁ ସ୍ଥାନକୁ ଅପହରଣ କରି ନିଆଯାଇଥିଲା ସେନେଇ କହି ପାରୁନାହାନ୍ତି।