ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଆଜି ୩ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅତର୍କିତ ଚଢ଼ଉ କରିଛି। ସେମାନଙ୍କ ଠାରୁ ୧୨ ଲକ୍ଷ ୬୯ ହଜାର ଟଙ୍କା ଜବତ ହୋଇଛି। ସେମାନେ ହେଲେ ବିଧାନ ଚନ୍ଦ୍ର ସାହୁ, ଡ. ପିକେ ମହାପାତ୍ର ଓ ନରୋତ୍ତମ ବେହେରା।

Advertisment

ସୂଚନା ଅନୁସାରେ ଭିଜିଲାନ୍ସ ବିଭାଗ ଆଜି କେନ୍ଦୁଝର ଜିଲ୍ଲା ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସେକ୍‌ସନ ଇଂଜିନିୟର ବିଧାନ ଚନ୍ଦ୍ର ସାହୁଙ୍କୁ ୧୦ ଲକ୍ଷ ୫ ହଜାର ଟଙ୍କା ନେଇ ଯାଉଥିବା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରୁ ଧରିଛି। ଏହା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ସାହୁଙ୍କର କଟକସ୍ଥିତ ନିବାସ ଓ କାର୍ଯ୍ୟାଳୟ ତଦନ୍ତ କରିଛି।

ରାଉରକେଲାରୁ ଫେରୁଥିବା ବେଳେ ଭୁବନେଶ୍ୱରରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଡ. ପିକେ ମହାପାତ୍ର। ତାଙ୍କ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଶ୍ରୀ ମହାପାତ୍ର ଅଧିକାରୀମାନଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ଅନ୍ୟ ଏକ ଘଟଣାରେ ଭିଜିଲାନ୍ସ ବିଭାଗ ବାଲେଶ୍ୱରସ୍ଥିତ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କୁ ଧରିଛି। ଶ୍ରୀ ବେହେରା ଭୁବନେଶ୍ୱରକୁ ଆସୁଥବା ବେଳେ ଟାଙ୍ଗୀ ଛକ ଗେଟ୍‌ରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ ହୋଇଥିବା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି।