ପ୍ରସ୍ତାବରେ ଲଟକିଛି ସ୍ବାସ୍ଥ୍ୟ ବିଭାଗର ୩ ହାଫ୍ୱେ ହୋମ୍
ଏନ୍ଜିଓ ଚିହ୍ନଟ ହୋଇପାରୁନି, ଏସ୍ଏସ୍ଇପିଡି ଅଧୀନରେ ରହିବ ଆଉ ୧୦
ଭୁବନେଶ୍ବର : ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୩ଟି ହାଫ୍ୱେ ନିର୍ମାଣ ପାଇଁ ଯୋଜନା କରିଥିଲା। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଏହି ହାଫ୍ୱେ ପରିଚାଳନା ହୋଇଥାନ୍ତା। ମାତ୍ର ଏହି ପ୍ରସ୍ତାବ ଏବେ ଲଟକି ରହିଛି। ଏହାର ପରିଚାଳନା ପାଇଁ ଏନ୍ଜିଓ ଚିହ୍ନଟ ହୋଇପାରି ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସ୍ଏସ୍ଇପିଡି) ପକ୍ଷରୁ ଏବେ ୬ଟି ହାଫ୍ୱେ ହୋମ୍ ପରିଚାଳିତ ହେଉଛି। ଆଉ ୧୦ଟି ପାଇଁ ପ୍ରସ୍ତାବ ରହିଛି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୩ଟି ରହିଛି। ଭୁବନେଶ୍ବରରେ ୨୫୦କ୍ଷମତା, ପୁରୀ କଣାସରେ ୩୪୨, ନିମାପଡ଼ାରେ ୧୦୪, ପୁରୀ ବେରବୋଇରେ ୨୫, ସୁନ୍ଦରଗଡ଼ରେ ୧୮୦ ଓ ବାରିପଦାରେ ୨୫କ୍ଷମତା ବିଶିଷ୍ଟ ହାଫ୍ୱେ ହୋମ୍ ଏନ୍ଜିଓ ଦ୍ବାରା ପରିଚାଳିତ ହେଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଢେଙ୍କାନାଳ, ଝାରସୁଗୁଡ଼ା ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଫ୍ୱେ ନିର୍ମାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଥିଲା। ପ୍ରତି ହାଫ୍ୱେ ହୋମ୍ରେ ୫୦ଜଣ ଲେଖାଏ ମାନସିକ ରୋଗୀ ରହିପାରିବେ। ମାତ୍ର କେତେ ପୁରୁଷ ଓ ମହିଳା ରହିବେ ତାହା ଧାର୍ଯ୍ୟ ହୋଇନାହିଁ। ଏହାବାଦ୍ କୋରାପୁଟରେ ୪୮, ସମ୍ବଲପୁରରେ ୫୦, ମାଲକାନଗିରିରେ ୧୦୦, ବ୍ରହ୍ମପୁରରେ ୩୦୦, ପୁରୀରେ ୧୫୦, ସୋନପୁରରେ ୧୦୦କ୍ଷମତା ବିଶିଷ୍ଟ ହାଫ୍ୱେ ନିର୍ମାଣ ହେବ। ଏହାବାଦ୍ କେନ୍ଦ୍ରାପଡ଼ରେ ମଧ୍ୟ ଏଭଳି ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲେ ବି କେତେ ଲୋକଙ୍କ କ୍ଷମତା ବିଶିଷ୍ଟ ହାଫ୍ୱେ ନିର୍ମାଣ ହେବ ତାହା ସ୍ଥିର ହୋଇନାହିଁ। ଏସବୁ ଜିଲ୍ଲାସ୍ତରୀୟ ଉପଦେଷ୍ଟା ପ୍ରକଳ୍ପ କମିଟି(ଡିଏଲପିଏସି) ଦ୍ବାରା ନିର୍ମାଣ କରାଯିବ।

ରାଜ୍ୟରେ ପ୍ରକୃତରେ ମାନସିକ ରୋଗର ଶିକାର ହୋଇ ପାଗଳ ହୋଇଥିବା ଲୋକଙ୍କ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଦିନକୁ ଦିନ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି କୋଭିଡ୍ ପରେ ଅନେକ ଲୋକ ଏହାର ଶିକାର ହୋଇଛନ୍ତି। ହେଲେ ଏହି ରୋଗୀମାନଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ବର୍ତମାନସୁଦ୍ଧା ଏନ୍ଜିଓ ଚୟନ କରିପାରୁନି। ଏଥିପାଇଁ ଆର୍ଥିକ ବ୍ୟୟବରାଦ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହରେ ରହିଛି। ଏସ୍ଏସ୍ଇପିଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ହାଫ୍ୱେ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ବର୍ତମାନସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇଦେବାର ପ୍ରସ୍ତାବ ରହିଥିଲା। ଏନ୍ଜିଓ ଚୟନ ପାଇଁ ଏକାଧିକ ବର୍ଗକୁ ଗୁରୁତ୍ବ ଦିଆଯାଉଛି। ତେଣୁ ଏହା କାର୍ଯ୍ୟକ୍ଷମ ହେବା ଆହୁରି ବିଳମ୍ବ ହୋଇପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଏସ୍ଏସ୍ଇପିଡି ପକ୍ଷରୁ ରାଜ୍ୟରେ ମାନସିକ ରୋଗୀଙ୍କ ପୁନର୍ବାସ ନେଇ କେଉଁ କେଉଁ ପଦକ୍ଷେପ ନିଆଯାଉଛି ତାହା ସଂପର୍କରେ ସୂଚନା ପାଇଁ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟଙ୍କୁ ନୋଡାଲ ଅଧିକାରୀଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ତାଙ୍କୁ ନୋଡାଲ ଅଧିକାରୀଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ମାନସିକ ରୋଗୀଙ୍କ ସଂପର୍କିତ ସମୀକ୍ଷା ବୈଠକରେ ସେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ବୟ ରକ୍ଷା କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।