ଅନୁଗୁଳ/ ଓଡ଼ାପଡ଼ା /ମେରାମଣ୍ଡଳୀ: ସୁଧୁରୁନି ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା। ସବୁ ପ୍ରକାର ଦାବି, ରାସ୍ତାରୋକ, ଆନ୍ଦୋଳନ ସତ୍ତ୍ବେ କେହି ଚେତୁ ନାହାନ୍ତି। ମରଣଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଓ ଧନଜୀବନ ହାନି ବଢ଼ି ଚାଲିଛି। ଆଜି ପୁଣି ଏହି ଜାତୀୟ ରାଜପଥରେ ୩ ମୁଣ୍ଡ ଗଡ଼ିଛି। ଶୁକ୍ରବାର ସକାଳେ ଅନୁଗୁଳ ସହରର ଥାନା ଛକରେ ଟ୍ରକ୍‌ ଦୁର୍ଘଟଣାରେ ଆଶାକର୍ମୀ କୁମାରୀ ସାହୁଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଆଜି ଦିନ ସାରା ସହରରେ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଶତାଧିକ ଆଶାକର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏପଟେ ଅପରାହ୍‌ଣରେ ମୋଟଙ୍ଗା ଛକ ନିକଟରେ ଏକ ଅଜଣା ଗାଡ଼ି ଧକାରେ ଢେଙ୍କାନାଳ ଜିଲ୍ଲା ଖଡ୍‌ଗପ୍ରସାଦ ଗାଁର ଶାନ୍ତନୁ ପୃଷ୍ଟି ଓ ସୁରେଶ ସାହୁଙ୍କ ମୃତ୍ୟୁ ହୋଇଛି।

Advertisment

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ମାଧପୁର ଅଞ୍ଚଳର ସାପଘରା ଗାଁର ଆଶା କର୍ମୀ କୁମାରୀ ସାହୁ ଜଣେ ଗର୍ଭବତୀଙ୍କୁ ନେଇ ଅନୁଗୁଳ ଡାକ୍ତରଖାନା ଆସିଥିଲେ। ଶୁକ୍ରବାର ସକାଳେ ଏଠାରୁ ଏକ ବାଇକ୍‌ରେ ଫେରିବା ସମୟରେ ଗୋଟିଏ ଟ୍ରକ୍‌ (ଓଡି-୧୯-କେ-୯୨୨୫) ଥାନା ଛକ ଉପରେ ସେମାନଙ୍କୁ ଧକା ଦେଇଥିଲା। ଟ୍ରକ୍‌ ଚକା ତଳେ ପଡ଼ି ଯାଇଥିଲେ କୁମାରୀ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ରୁନା ବେହେରା ଓ ବୀଣାପାଣି ବେହେରାଙ୍କୁ ଗୁରୁତର ଆଘାତ ଲାଗିଥିଲା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସ‌ାଳୟରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ହେଲେ ଲୋକେ ଶୁଣି ନଥିଲେ। ଏପରିକି ପୁଲିକୁ ଠେଲାପେଲା କରିଥିଲେ। ପରେ ବରିଷ୍ଠ ଅଧିକାରୀମାନେ ଆସି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅପରପକ୍ଷରେ କାର୍ଯ୍ୟରତ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଖବର ପ‌ାଇବା ପରେ ଆଶା କର୍ମୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ଶତାଧିକ ଆଶା କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ମୃତ ଆଶା କର୍ମୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ସାଙ୍ଗକୁ ଜଣେ ସଂପର୍କୀୟଙ୍କୁ ଚାକିରି ଦାବିରେ ସେମା‌ନେ ଦାବି କରିଥିଲେ। ସିଡିଏମ୍‌ଓ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଝାସୁଝା କରିଥିଲେ। ଅପରାହ୍‌ଣରେ ପ୍ରଶାସନ ସହିତ ଆଲୋଚନା ପରେ ଆଶା କର୍ମୀ ଧାରଣାରୁ ହଟିଥିଲେ।

ଅପରାହ୍‌ଣରେ ଏହି ୫୫ ନମ୍ବର ଜାତୀୟ ରାଜପଥରେ ଆଉ ୨ ଜଣଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ, ଖଡ୍‌ଗପ୍ରସାଦ ଗାଁର ଶାନ୍ତନୁ ପୃଷ୍ଟି(୨୭) ଓ ସୁରେଶ ସାହୁ (୩୯) ଏକ ବାଇକ୍‌ରେ ନିମବାହାଳି ବଜାରରୁ ଘରକୁ ଫେରୁଥିବା ସମୟରେ ମୋଟଙ୍ଗା ଛକ ନିକଟରେ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳକୁ ଏକ ଅଜଣ‌ା ଗାଡ଼ି ସେମାନଙ୍କୁ ଧକା ଦେଇଥିଲା। ଘଟଣାସ୍ଥଳରେ ଶାନ୍ତନୁଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ସୁରେଶଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ପାଇ ମୋଟଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର କେ.ଭି. ରାଓ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ୍‌ ପାଣ୍ଠିରୁ ମୃତଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତା ଅବରୋଧ ହଟିଥିଲା। ମୋଟଙ୍ଗା ପୁଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।