ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକେପ୍ଟର ବ୍ୟବହାର ହୋଇଥିଲା। ପ୍ରାୟ ୪୨ଟି ବୁଥ ନକ୍ସଲ ପ୍ରବଣ ଅଂଚଳରେ ରହିଥିଲା। ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲଙ୍କ କବଜାରେ ରହିଥିବାରୁ ଯେପରି ସୁରୁଖୁରୁରେ ନିର୍ବାଚନ ହେବ ସେଥିପାଇଁ ପୁଲିସ ଓ ପ୍ରଶାସନ ତରଫରୁ ହେଲିକପ୍ଟର ସହ ସୁରକ୍ଷାକୁ କଡାକଡି କରାଯାଇଥିଲା। ସମସ୍ତ ବୁଥ ଅଂଚଳରେ ସିଆରପିଏଫ ଯବାନ ତୟନାତ ଥିଲେ। ଲୋକଙ୍କୁ ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ବହୁ ଲୋକ ପ୍ରଥମକରି ନିଜ ଅଂଚଳରେ ଭୋଟ ଦେଇଥିବାରୁ ଖୁସି ପ୍ରକଟ କରିଥିଲେ। ଭୋଟ ଗ୍ରହଣ କମ୍ ହୋଇଥିଲେ ମଧ୍ୟ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।

Advertisment

ଏହି ଅଂଚଳରେ ନକ୍ସଲ ଭୋଟ ଦେଲେ ଲୋକଙ୍କ ଅଙ୍ଗୁଳି କାଟିଦେବାକୁ ଧମକ ଦେଉଥିଲେ। ତେଣୁ ଲୋକେ କେବେ ମଧ୍ୟ ଭୋଟ ଦେବାକୁ ଯାଉନଥିଲେ। କିନ୍ତୁ ସବୁ ଓଲଟା ହୋଇଥିଲା। ପ୍ରଶାସନ ସମସ୍ତ ବୁଥରେ ଯେପରି ନିର୍ବାଚନ ହେବ ସେଥିନେଇ ବସ୍ତର ଲୋକସଭା କ୍ଷେତ୍ର ପାଇଁ ୬୦ ହଜାର ଯବାନଙ୍କୁ ମତୟନ କରାଯାଇଥିଲା। ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ନଜର ରଖିଥିବା ବେଳେ ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। ହେଲିକପ୍ଟରରେ ପୁଲିଂ ଅଧିକାରୀମାନେ ନିଜ ନିଜ ବୁଥକୁ ଯାଇ ଭୋଟ ଗ୍ରହଣ କରିବା ପରେ ପୁଣି ସେହି ହେଲିକପ୍ଟରରେ ଫେରିଆସିଥିଲେ। କାରଣ ରାସ୍ତାରେ ନକ୍ସଲଙ୍କର ଭୟ ରହିଥିଲା।