ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାକୁ ସଂଯୋଗ କରୁଥିବା ତିନି ହାଇଲେଭଲ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ

ଜୟପୁର: ଜୟପୁର ବ୍ଲକ ଗ୍ରାମାଂଚଳର ଗମନାଗମନକୁ ସୁଦୃଢ଼ କରିବା ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ପିକେ ଜେନାଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ତାଙ୍କ ନିର୍ବାଚନମଣ୍ଡଳୀର ୫ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ୫ଟି ହାଇଲେଭଲ ବ୍ରିଜ୍ ନିର୍ମାଣ କରିବାକୁ ଦାବି କରିଥିଲେ। ଏହା ନିର୍ମାଣ ହେବା ଦ୍ବାରା ଉକ୍ତ ଅଂଚଳ ଗୁଡିକର ଗମନାଗମନ ସୁଦୃଢ଼ ହେବା ସହ ଅଂଚଳର ସାମଗ୍ରୀକ ବିକାଶ ହେବ ବୋଲି ଜଣାଇଥିଲେ।

ସେ ଦେଇଥିବା ପ୍ରସ୍ତାବ ମଧ୍ୟରୁ ୩ଟିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଜୟପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଫାମ୍ପୁଣି -କୁମୁଲିପୁଟ ପିଏମଜିଏସୱାଇ ରୋଡରୁ ଝଡ଼ଗାଁ ପିଏମଜିଏସୱାଇ ରାସ୍ତାର କୋଲାବ ନଦୀ ଉପରେ ସେତୁ ନିର୍ମାଣ, ରାଣିଗଡ ଗ୍ରା.ପ ମାଳିକର୍ଚି ତେଲେଙ୍ଗିରୀ ନଦୀ ଏବଂ ବୋରିଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ବଡ ଇନ୍ଧାନପୁରରୁ ଘାଟଗୁଡା ମୁରାନ ନଦୀ ଉପରେ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ତିନୋଟି ସେତୁର ନିର୍ମାଣ କାମ ଅତିଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ରାଜ୍ୟ ସରକାରଙ୍କୁ ବିଧାୟକ କୃତଜ୍ଞତା ଜ୍ଞାପନ କରିବା ସହ ଦଳମତ ନିର୍ବିଶେଷରେ ଅଂଚଳର ବିକାଶରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର