ଧର୍ମଶାଳା : ଧର୍ମଶାଳା ଥାନା ଅଞ୍ଚଳରେ ରାହାଜାନି ଓ ଲୁଟ୍ପାଟ୍ କରିବା ଅଭିଯୋଗରେ ପୁଲିସ୍ ୩ଜଣ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଶ୍ରୀରାମପୁର ଗ୍ରାମର ଜନ୍ମେଜୟ ସାହୁ ଓରଫ୍ ପିଣ୍ଟୁ (୨୧), ଚହଟା ଗ୍ରାମର ସର୍ବଶକ୍ତି ମହାନ୍ତି ଓରଫ୍ ଚିକୁ(୧୯) ଓ ବଡ଼ଚଣା ଥାନା ଗୁଣ୍ଠୁଣି ଗ୍ରାମର ବାପି ଜେନା(୨୩)। ଚହଟାର ସର୍ବଶକ୍ତି ବଡ଼ଚଣା ଥାନା ନୂଆସୁଙ୍ଗୁଡ଼ା ଗାଁର ଅଖିନ ପୃଷ୍ଟିଙ୍କ ଘରେ ଓ ଗୁଣ୍ଠୁଣିର ବାପି ନେଉଳପୁର ଗାଁରେ ଭଡ଼ାରେ ରହୁଥିଲେ। ଖବରପାଇ ପୁଲିସ୍ ସମସ୍ତଙ୍କୁ ଉଠାଇ ନେଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁକ, ଏକ ଖେଳନା ବନ୍ଧୁକ ଓ ୫ଟି ମୋବାଇଲ୍ ଜବତ କରାଯାଇଛି। ଥାନା କେସ୍ ନମ୍ବର-୩୭୫/୨୧, ଫା-୩୯୨/୩୪ଆଇପିସି, ଆର୍/ଡବ୍ଲୁ ୨୫/୨୭ ଆର୍ମ ଆକ୍ଟରେ ଗିରିଫ କରାଯାଇ ସମସ୍ତଙ୍କୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧୫ତାରିଖ ରାତି ପ୍ରାୟ ୯ଟାରେ ମିର୍ଜାପୁର ଗାଁର ରାଜେନ୍ଦ୍ର ପଣ୍ତା ଓ ଅମରେଶ ମଲ୍ଲ କାଏମା କୋତପୁର ନଦୀବନ୍ଧ ରାସ୍ତାର ମିର୍ଜାପୁର ଯଜ୍ଞଗଡ଼ା ନିକଟରେ ଠିଆହୋଇ କଥା ହେଉଥିଲେ। ଏହି ସମୟରେ କାଏମା ପାର୍ଶ୍ବରୁ ଏକ ବାଇକ୍ରେ ଆସୁଥିବା ୩ ଜଣ ଅଜଣା ଯୁବକ ଭୁଲୁକାକୁ ରାସ୍ତା କୁଆଡ଼େ ବୋଲି ପଚାରିଥିଲେ। ଭୁଲୁକାକୁ ରାସ୍ତା କହିବା ସମୟରେ ହଠାତ୍ ବାଇକ୍ ପଛରେ ବସିଥିବା ଜଣେ ଯୁବକ ରାଜେନ୍ଦ୍ରଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ସେ ଧରିଥିବା ମୋବାଇଲ୍ ଓ ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଛଡାଇ ନେଇଥିଲା। ପରେ ସେମାନେ କୋତପୁର ଅଭିମୁଖେ ଚମ୍ପଟ ମାରିଥିଲେ। ଏ ସ˚ପର୍କରେ ରାଜେନ୍ଦ୍ର ପଣ୍ତା ୧୬ ତାରିଖରେ କୋତପୁର ଫାଣ୍ତିରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।