ରାୟଗଡ଼ା: ବିଦ୍ୟୁତକାଟ୍ ଯୋଗୁଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବ୍ୟାହତ ହୋଇଛି। ମରାମତି କାରଣରୁ ସହରକୁ ୩ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିବା ବେଳେ ଡିଏଚ୍ଏଚ୍ରେ ଥିବା ଜେନେରେଟର୍ ଅଚଳ ଥିବାରୁ ମୋବାଇଲ୍ ଲାଇଟ୍ରେ ଚିକିତ୍ସା କରିଛନ୍ତି ଡାକ୍ତର। ଯାହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରିଡ୍ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମରାମତି ଲାଗି ଶୁକ୍ରବାର ପୂର୍ବାହ୍ନ ସାଢ଼େ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ନେଇ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବିଦ୍ୟୁତ୍ ବିଭାଗର ଘୋଷଣା ସତ୍ତ୍ବେ ଡିଏଚ୍ଏଚ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ।
ଜେନେରେଟର୍ ଅଚଳ ହୋଇ ପଡ଼ିଥିବାରୁ ବିଭିନ୍ନ ୱାର୍ଡରେ ଥିବା ଶହ ଶହ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି, ପ୍ରସୂତି ଓ ସ୍ତ୍ରୀରୋଗବିଭାଗ, ଭେଷଜ ବିଭାଗ, ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇ ପଡ଼ିଥିଲା। ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଜେନେରେଟର୍ ସଜାଡ଼ିବା ଦିଗରେ ଡିଏଚ୍ଏଚ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଆଦିବାସୀ ନେତା ବିଜୟ ମେଲେକା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମେଡିକାଲ୍ ଅଧୀକ୍ଷକ (ଏଡିଏମଓ) ଡା. ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ହଠାତ୍ ଜେନେରେଟର ଅଚଳ ହୋଇ ପଡ଼ିବାରୁ କିଛି ୱାର୍ଡରେ ରୋଗୀ ସେବା ବ୍ୟାହତ ହୋଇଥିଲା। ପୂର୍ବରୁ ବିଭିନ୍ନ ଚିକିତ୍ସା ଲାଗି ରୋଗୀ ଅପେକ୍ଷା କରି ରହିଥିବାରୁ ଏବଂ ସମ୍ପର୍କୀୟଙ୍କ ଅନୁରୋଧକ୍ରମେ ଚିକିତ୍ସା ଲାଗି ମୋବାଇଲ ଲାଇଟ୍ ବ୍ୟବହାର କରାଯାଇଥିଲା।