ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରାଜପୁର ସମଲେଇ ବଏଲ ଯାତ୍ରା ୩ ଶହ ବର୍ଷର ପରମ୍ପରା। ରାଜ ରାଜୁଡା ଶାସନରୁ ଚାଲି ହୋଇଥିଲେ ମଧ୍ୟ ରାଜପୁର ଜମିଦାର ବଂଶଜ ଏବେ ମଧ୍ୟ ଏହି ଯାତ୍ରାକୁ ବଞ୍ଚାଇ ରଖିଛନ୍ତି। କୁମାର ପୂର୍ଣ୍ଣିମାରେ ଏହି ବଏଲ ଯାତ୍ରା ହୋଇଥାଏ। ଆଜି ରାଜପୁର ସମଲେଶ୍ଵରୀ ମନ୍ଦିରରେ ପୁରୋହିତ ପ୍ରଦୀପ ପାଟଯୋଶୀ ସନ୍ଧ୍ୟାରେ ବଳିଯାତ୍ରା ପାଇଁ ମନ୍ଦିରକୁ ଆସିବା ପରେ ମା’ଙ୍କୁ ଆବାହନ କରି କାଲୋ ଶରୀରରେ ପ୍ରବେଶ କରାଇଥିଲେ। ମା’ଙ୍କ ଶକ୍ତି ସଂଚାର ପରେ ବରୁଆଙ୍କୁ ପ୍ରଥମେ ରାଜପୁର ଜମିଦାରଙ୍କ ଘରକୁ ନିଆଯାଇଥିଲା। ପରମ୍ପରା ଅନୁସାରେ ମଶାଲ, ପାରମ୍ପରିକ ବାଦ୍ୟ ସହ ବରୁଆ ଜମିଦାରଙ୍କ ଘରେ ପହଞ୍ଚିବା ପରେ ସେଠାରେ ବରୁଆ ପାଟଖଣ୍ଡାରେ ଖେଳିଥିଲେ। ପରେ ରାଜପୁର ପୁରୁଣାବସ୍ତି, ଦୁର୍ଗାଗୁଡ଼ି ଓ ଶେଷରେ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।
ରାସ୍ତାରେ ବରୁଆକୁ ଗ୍ରାମବାସୀମାନେ ପୂଜାର୍ଚ୍ଚନା ସହ ପଶୁବଳି ଦେଉଥିବା ଦେଖିବାକୁ ମିଳିଥିଲା। ଜମିଦାର ବଂଶଜଙ୍କ ଉପସ୍ଥିତିରେ ରାଜ ପୁରୋହିତ ନିଶାପୂଜା କରିଥିଲେ। ପୂଜା କାର୍ଯ୍ୟରେ ପଣ୍ଡିତ ମୋତିଲାଲ ମିଶ୍ର ଓ ବାସୁଦେବ ଦାସ ସହଯୋଗ କରିଥିଲେ।