୩ ଶିଳ୍ପ ଉଦ୍‌ଘାଟିତ, ୧୧ ଶିଳ୍ପର ଶିଳାନ୍ୟାସ

୧୫୩୭ କୋଟି ଟଙ୍କାର ପୁଞ୍ଜିନିବେଶ, ୩୭୭୩ ନିଯୁକ୍ତି ସୁଯୋଗ
ବିବିଧ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମ ଉଦ୍ୟମ ସଫଳ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୪ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟରେ ୩ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା ବେଳେ ୧୧ଟିର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ୍ ୧୫୩୭ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉଦ୍‌ଘାଟିତ ହୋଇଥିବା ୩ଟି ପ୍ରକଳ୍ପରେ ୪୩୬ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଶିଳାନ୍ୟାସ ହୋଇଥିବା ୧୧ଟି ପ୍ରକଳ୍ପରେ ୧୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ଶିଳ୍ପ ମଧ୍ୟରେ ଅଛି ବୟନଶିଳ୍ପ, ସାର, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଓ ବର୍ଜ୍ୟ ପରିଚାଳନା ଇତ୍ୟାଦି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ଶୁଭାରମ୍ଭ ହୋଇଥିବା ୧୪ଟି ପ୍ରକଳ୍ପ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ରର ପୁଞ୍ଜିନିବେଶ ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ଆଦି ସବୁ ବର୍ଗର ଶିଳ୍ପ ସଂସ୍ଥାର ଏଥିରେ ଅନ୍ତର୍ଭୁକ୍ତ। ଓଡ଼ିଶା ପୁଞ୍ଜିନିବେଶର ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପୂର୍ବ ଭାରତରେ ଓଡ଼ିଶା ‘ମାନୁଫାକ୍‌ଚରିଂ ହବ୍’ ଭାବେ ଦ୍ରୁତ ଗତିରେ ଆଗକୁ ଯାଉଛି। କୋଭିଡ୍ ପରି ସଙ୍ଗୀନ ସମୟରେ ମଧ୍ୟ ଓଡ଼ିଶା ବଡ଼ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛି ଓ ପୁଞ୍ଜିନିବେଶକାରୀଙ୍କ ବିଶ୍ବାସ ଜିତିପାରିଛି। ରାଜ୍ୟ ସରକାରଙ୍କ ସ୍ଥିର ନୀତି ଓ ସମୟୋପଯୋଗୀ ପଦକ୍ଷେପ ରାଜ୍ୟରେ ଶିଳ୍ପର ବିକାଶରେ ସହଯୋଗୀ ସାବ୍ୟସ୍ତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ବାଧାବିହୀନ ବ୍ୟବସାୟିକ ପରିବେଶ ଯୋଗାଇବାକୁ ଉଦ୍ୟମ ଜାରି ରହିଛି। ଶିଳ୍ପ ସଂସ୍ଥାଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

କୋଭିଡ୍‌ ସମୟରେ ଶିଳ୍ପ ସଂସ୍ଥାଗୁଡ଼ିକର ସହାୟତା ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଆର୍ଥିକ ବିକାଶ ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଅଂଶୀଦାର ହୋଇ କେବଳ କାର୍ଯ୍ୟ କରୁ ନାହାନ୍ତି, ବରଂ ନିଜ ନିଜର ସାମଜିକ ଦାୟିତ୍ବବୋଧକୁ ନିର୍ବାହ କରୁଛନ୍ତି। କୋଭିଡ୍‌ର ଦ୍ବିତୀୟ ଲହର ସମୟରେ ଯେତେବେଳେ ସାରା ଦେଶ ମେଡିକାଲ ଅକ୍ସିଜେନ୍‌ର ଅଭାବ ଗୁରୁତର ଭାବେ ସାମ୍ନା କରୁଥିଲା, ସେହି ସମୟରେ ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ସହଯୋଗର ହାତ ବଢ଼ାଇଥିଲେ। ରାଜ୍ୟର ବହୁ ଶିଳ୍ପସଂସ୍ଥା ମେଡିକାଲ ଅକ୍ସିଜେନ୍, ଟ୍ୟାଙ୍କର୍, ଜେନେରେଟର୍, ସିଲିଣ୍ଡର୍ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାକୁ ଆଗେଇ ଆସିଥିଲେ। ଏପରି କଠିନ ପରିସ୍ଥିତିରେ ସହଯୋଗର ହାତ ବଢ଼ାଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ହୋଇଥିଲେ। ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦ୍ଦେଶକ ବରୁଣ ବେରୀ, ବେଦାନ୍ତର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ, ୱାଇଲ୍ଡ୍ ଲୋଟସ୍ ଟେକ୍ସଟାଇଲ୍‌ର ନିର୍ଦ୍ଦେଶକ ପି ଏଲ୍ ମହାନ୍ତି ଓ ଆଦିତ୍ୟ ବିର୍ଲା ରିନ୍ୟୁବେଲ୍‌ର ପ୍ରେସିଡେଣ୍ଟ୍(ଅପରେସନ୍) ଅମିତାଭ ବର୍ମା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ସଚିବ(୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଓ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ବି ଏସ୍ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍ ପି କେ ଜେନା, ଏମ୍ଏସ୍ଏମ୍ଇ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ଉଦ୍‌ଘାଟିତ ହୋଇଥିବା ଶିଳ୍ପ ସଂସ୍ଥା ମଧ୍ୟରେ ଅଛି ବଲାଙ୍ଗୀରର ଆଦିତ୍ୟ ବିର୍ଲା ରିନ୍ୟୁବେଲ୍ ପକ୍ଷରୁ ସୌରଶକ୍ତି ପ୍ରକଳ୍ପ, ଝାରସୁଗୁଡ଼ାରେ ରୁନାୟା ରିଫାଇନିଂ ଏଲ୍ଏଲ୍ପି ପକ୍ଷରୁ ଆଲୁମିନିୟମ୍ ଡ୍ରସ୍ ରିଫାଇନିଂ ୟୁନିଟ୍ ଓ ଖୋର୍ଦ୍ଧାରେ ୱାଇଲ୍ଡ୍‌ ଲୋଟସ୍ ଫେସନ୍ ପକ୍ଷରୁ ପୋଷାକ ଉତ୍ପାଦନ ୟୁନିଟ୍। ଶିଳାନ୍ୟାସ ହୋଇଥିବା ଶିଳ୍ପଗୁଡ଼ିକ ହେଲା ପାରାଦୀପରେ ଇଫ୍‌କୋର ସମ୍ପ୍ରସାରଣ, ସୁନ୍ଦରଗଡ଼ରେ କେଏଆଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ର ପେଲେଟ୍ ପ୍ଲାଣ୍ଟ୍, ଖୋର୍ଦ୍ଧାରେ ବ୍ରିଟାନିଆ ଇଣ୍ଟଷ୍ଟ୍ରିଜ୍‌ର ସମ୍ପ୍ରସାରଣ, ନୀରେନ କୁମାର ଆନନ୍ଦଙ୍କ ଜୋତା ଉତ୍ପାଦନ ୟୁନିଟ୍ ଓ ପ୍ରିଣ୍ଟେକ୍ ଅଫ୍‌ସେଟ୍‌ର ଅଫ୍‌ସେଟ୍‌ ପ୍ରିଣ୍ଟିଂ, କଟକ ଜିଲ୍ଲାର ଖୁଣ୍ଟୁଣିରେ ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍‌ର ପ୍ଲାଷ୍ଟିକ୍ ଉତ୍ପାଦନ, ରାମଦାସପୁରରେ ଆଷ୍ଟ୍ରାଲ୍ ପଲିଟେକ୍‌ନିକ୍‌ର ଥର୍ମୋପ୍ଲାଷ୍ଟିକ୍ ପାଇପ୍ ଉତ୍ପାଦନ ୟୁନିଟ୍, ରାମଦାସପୁରରେ ଜୟ ଭାରତ ସ୍ପାଇସ୍‌ର ରେଡି-ଟୁ-ଇଟ୍ ଓ ଶୀତଳ ଭଣ୍ଡାର ସୁବିଧା, ଚୌଦ୍ବାରରେ ରିନ୍ୟୁବେଲ୍ ଏନ୍‌ଭିରୋଜିକ୍‌ର ବାୟୋମେଡିକାଲ ବର୍ଜ୍ୟ ପରିଚାଳନା, ଚୌଦ୍ବାରରେ ଅର୍ଣ୍ଣବ କେୟାର ଆଣ୍ଡ୍ ଫୁଡ୍‌ର ଅର୍ଗାନିକ୍ ଫର୍ଟିଲାଇଜର୍ ଓ ଚୌଦ୍ବାରରେ ପ୍ରତିଷ୍ଠା ଭେଞ୍ଚର୍ସର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍।

ସମ୍ବନ୍ଧିତ ଖବର