ହାଟଡିହି: ପିଲାମାନେ ଖେଳିଲେ ତାସ | ଆଉ ତାସ ଖେଳରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି | କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ ପିଲାଙ୍କ ଭିତରେ ହୋଇଥିବା ତାସ ଖେଳକୁ ନେଇ ପ୍ରଥମେ ବଚସା ଓ ପରେ ରକ୍ତାକ୍ତ ସଂଘର୍ଷ ଭଳି ଉଗ୍ର ରୂପ ଦେଖିବାକୁ ମିଳିଛି | ଗାଁରେ ପିଲାମାନେ ଏକତ୍ରିତ ହୋଇ ତାସ ଖେଳୁଥିବା ସମୟରେ ଶଶିକାନ୍ତ ପାତ୍ରଙ୍କ ପୁଅ ଶକ୍ତି ସହିତ କେଶବ ପାତ୍ରଙ୍କ ପୁଅ ଧୀରେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ଧୀରେନ୍ଦ୍ର ଶକ୍ତିକୁ ମାଡ ମାରି ଆହତ କରିଥିଲା |

Advertisment

ଘଟଣାକୁ ବିରୋଧ କରି ଶକ୍ତିଙ୍କ ମାମୁଁ ପୁଅ ଭାଇ ରିତେଶ, ଧୀରେନ୍ଦ୍ରକୁ ଏକ ଚାପୁଡ଼ା ମାରିଥିଲେ | ଗତକାଲି ସନ୍ଧ୍ୟାରେ ଏସବୁ ଘଟି ସମାଧାନ ହୋଇଯାଇଥିଲା | ତେବେ ଆଜି ସକାଳେ ଧୀରେନ୍ଦ୍ରଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ଶକ୍ତିଙ୍କ ପରିବାର ଉପରେ ଅଚାନକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ | ଏହି ଆକ୍ରମଣରେ ଶକ୍ତିଙ୍କ ମା, ଭଉଣୀ ଓ ପିଉସୀ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି | ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି |