ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟାରେ ଗୋଟିଏ ପରିବାରର ତିନି ଜଣ ପୋଡ଼ି ଆହତ ହୋଇଛନ୍ତି। ଘରେ ସେମାନେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଯିବାରୁ ପୋଡ଼ି ଆହତ ହୋଇଥିବା ଜଣାଯାଇଛି।

Advertisment

୩ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଘରେ ନିଆଁ ଲାଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟ ପକ୍ଷରେ ବ୍ରଜରାଜନଗର ପୁଲିସ ତଦନ୍ତ ଆରମ୍ଭ କରିଛି।

ବ୍ରଜରାଜନଗର ପୋୖରାଞ୍ଚଳ ଅନ୍ତର୍ଗତ ୧୬ ନମ୍ବର ୱାର୍ଡର ଇଟାଭଟାଗ୍ରାମର ଝରଣପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ସମୟରେ ଗୋଟିଏ ପରିବାରର ୩ଜଣଙ୍କୁ ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତରମାନେ ହେଲେ ଟିକେଶ୍ୱର ଦେବାଙ୍ଗ, ପତ୍ନୀ ସୁଶୀଳା ଦେବାଙ୍ଗ ଓ ଛୋଟ ପୁଅ ବୀର ଦେବାଙ୍ଗ।

ଘଟଣାଟି ରାତି ୩ଟାରେ ଜଣାପଡିଥିଲା। ଖବର ପାଇ କାଉନସିଲର ଦ୍ରୌପଦୀ ମେହେର , ସମାଜ ସେବୀ ସୁଶାନ୍ତ ମେହେର ଓ ପଡ଼ାବାସୀ ଗୁରୁତର ୩ଜଣଙ୍କୁ ଝାରସୁଗୁଡା ମୁଖ୍ୟ ଚିକିସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସହିତ ସୁଶାନ୍ତ ମେହେର ଅଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଟିକେଶ୍ୱରଙ୍କ ଶରୀରର ୩୦ ପ୍ରତିଶତ, ପୁଅ ବୀରର ଶରୀର ୪୨ ପ୍ରତିଶତ ଓ ସୁଶୀଳାଙ୍କ ଶରୀରର ୯୨ ପ୍ରତିଶତ ପୋଡ଼ି ଯାଇଛି। ବୁର୍ଲାରେ ଏମାନେ ସକାଳ ୭ଟାରେ ପହଁଚିବା ପରେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ସୁଶାନ୍ତ ଜଣାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। କେହି ଘର ଭିତରକୁ ପେଟ୍ରୋଲ ପକାଇ ଅଗ୍ନିକାଣ୍ଡ ଭିଆଇ ମାରିବାକୁ ଉଦ୍ୟମ କରିଥିବା ଟିକେଶ୍ୱର ଅଭିଯୋଗ କରିଛନ୍ତି।