ବଜ୍ରପାତରେ ୩ ଗୁରୁତର, ଘର ଭାଙ୍ଗିଲା

କାଳିଆପାଣି/ହରିଚନ୍ଦନପୁର: ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ଓ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଗାଁରେ ଆଜି ବଜ୍ରପାତ ଯୋଗୁଁ ଜଣେ ଶିଶୁ ସହ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏଥିସହ ଗୋଟିଏ ବଡ଼ ବଳଦ ଓ ଗୋଟିଏ ଛେଳିର ମୃତ୍ୟୁ ‌ହୋଇଥିବା ଅଭିଯୋଗ ହୋଇଛି। ଘଡ଼ଘଡ଼ି ସହ ବର୍ଷା ହେବାରୁ ବେଣାଗାଡ଼ିଆ ଗାଁର ରସାନନ୍ଦ ପ୍ରଧାନଙ୍କ ପୁଅ ସମୀର ଗୋରୁ ଓ ଛେଳି ଅଡ଼ାଇ ଘରକୁ ଫେରିବା ସମୟରେ ତାଙ୍କ ଘର ଉପରେ ବଜ୍ରପାତ ହୋଇଥିଲା।

ଏଥିରେ ସମୀର ଗୁରୁତର ଆହତ ହୋଇଛନ୍ତି। ଗୁହାଳରେ ପଶିବା ପୂର୍ବରୁ ବଳଦ ଓ ଛେଳି ସେଇଠି ଟଳି ପଡ଼ିଥିଲେ। ଉକ୍ତ ଅଘଟଣର କିଛି ସମୟ‌ ପରେ କାଳିଆପାଣି ନାଏବ ସରପଞ୍ଚ ଯମୁନା ହେମ୍ବ୍ରମଙ୍କ ଯାଆ ଯମୁନା ହେମ୍ବ୍ରମ ନିଜର ୪ ଛୁଆଙ୍କୁ ଧରି ଘର ଭିତର ଖଟ ଉପରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଯମୁନା ଆହତ ହୋଇଥିବା ବେଳେ ତାଙ୍କ ଶିଶୁପୁତ୍ର ସିନୁ(୨୬ ମାସ) ଖଟ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛି। ସମସ୍ତ ଆହତଙ୍କୁ ପୃଥକପୃଥକ ଭାବେ ଓମ୍ବାଡ୍ସି ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ଓ କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତ ପରିବାର ଦ୍ବୟକୁ ସରକାରୀ ସହାୟତା ପାଇଁ ଦାବି ‌ହୋଇଛି।

ସେହିପରି ଝଡ଼ ତୋଫାନରେ ହରିଚନ୍ଦନପୁର ବ୍ଲକ କଲୋନିରେ ଥିବା ଏକ ଜାମୁ ଗଛ ଗତକାଲି ରାତି ୮ ଟାରେ  ବ୍ଲକର ପ୍ରଗତି ସହାୟକ ସଂଜୀବ କୁମାର ଏକ୍କାଙ୍କ ବାସଗୃହ ଉପରେ ପଡ଼ିଯିବାରୁ ତାଙ୍କ ଘର ଭାଙ୍ଗି ଯାଇଛି।   ଶ୍ରୀ ଏକ୍କା ଘର ଭିତରେ ଥିଲେ ମଧ୍ୟ ସେ ସୁରକ୍ଷିତ ଅଛନ୍ତି ।  ବ୍ଲକ କଲୋନିରେ ଥିବା ଘର ଗୁଡିକ ବହୁ ପୁରୁଣା ଏବଂ ଆଜବେଷ୍ଟସ ଛପର ଗୃହ । ତେଣୁ ଆଜବେଷ୍ଟସ ଗୃହ ସବୁ ଭାଙ୍ଗି ନୂତନ ଛାତ ଗୃହ ନିର୍ମାଣ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର