ଡାବୁଗାଁ : ବାଇକ ଧକ୍କାରେ ପଥଚାରୀ ଗୁରୁତର, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରି ଗୁଡ଼ା ଛକ ନିକଟରେ ଏକ ପଥଚାରୀକୁ ବାଇକ ଧକ୍କା ଦେବା ଫଳରେ ପଥଚାରୀ ଜଣଙ୍କ ଗୁରୁତର ଆହତ ହୋଇଛି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ୍କୁ ଜବତ କରିଥିଲେ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ୍ ଗ୍ରାମର ଜୟରାମ ହରିଜନ (୫୦ ) ଡାବୁଗାଁରୁ ଚାଲିଚାଲି ଜଟାବାଲ୍‌କୁ ଆଜି ରାତ୍ର ପ୍ରାୟ ସାଢ଼େ ସାତ ଘଣ୍ଟା ସମୟରେ ଯାଉଥିବା ସମୟରେ ଏକ ବାଇକ୍ ଯୋଗେ ଡାବୁଗାଁରୁ ଖୁଟିଗୁଡ଼ାକୁ ଯାଉଥିବା କପିଳାସ ଭତରା (୨୫) ଓ ସରାଦୁ ଭତରା (୨୩) ବାଇକ୍ ଭାରସାମ୍ୟ ହରାଇବା ଫଳରେ ରାସ୍ତାରେ ବାମ ପଟ ଦେଇ ଯାଉଥିବା ଜୟରାମକୁ ପଛପଟୁ ଧକ୍କା ଦେଇଥିଲେ। ଏଥିରେ ପଥଚାରୀ ଜୟରାମ ସହ କପିଳାସ ଓ ସରାଦୁ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ଜୟରାମର ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ କପିଳାସ ଭତରାର ମୁଣ୍ଡରେ ଆଘାତ ଲାଗିଥିଲା। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଜୟରାମର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ପୁଲିସ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର