ବେଲଗୁଣ୍ଠା: ଗାଙ୍ଗପୁର ଥାନା ଅଧୀନ ବୁଢ଼ାକେନ୍ଦୁ ମନ୍ଦିର ନିକଟ ଜଙ୍ଗଲିଆ ରାସ୍ତାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବାର୍ହା ଆକ୍ରମଣରେ ତିନି ଭାଇଭଉଣୀ ଆହତ ହୋଇଛନ୍ତି। ଆହତମାନେ ହେଲେ, ସ୍ଥାନୀୟ କୁଲାଙ୍ଗି ଗ୍ରାମର ସନ୍ନ୍ୟାସୀ ନାୟକଙ୍କ ଦୁଇ ଝିଅ ପାଣ୍ଡି ଓ ଚାନ୍ଦିନୀ ଏବଂ ପୁଅ ଯୁଗଳ।
ସେମାନେ ବାଇକ୍ ଯୋଗେ କୌଣସି କାମରେ ଗୋବରା ଆସି ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ାକେନ୍ଦୁ ମନ୍ଦିର ପାଖ ଜଙ୍ଗଲିଆ ରାସ୍ତାରେ ସେମାନଙ୍କୁ ଗୋଟିଏ ଦନ୍ତା ଓ ଛୁଆ ବାର୍ହା ଆକ୍ରମଣ କରିଥିଲେ। ତିନି ଜଣଙ୍କ ଜଙ୍ଘ, ପେଟ ଓ ଗାଲରେ ଗଭୀର କ୍ଷତି ଲାଗିଛି। ଚିତ୍କାର ଶୁଣି ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।