ବର୍ଷକୁ ୩ଟି ଇଣ୍ଟର୍ଣ୍ଣସିପ୍‌ ବାଧ୍ୟତାମୂଳକ

ରାଉରକେଲା : ବୈଷୟିକ ଶିକ୍ଷା ଗୁଣାତ୍ମକ ବିକାଶ କାର୍ଯ୍ୟକ୍ରମ (ଟିଇକ୍ୟୁଆଇପି)ରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୩ଟି ଗ୍ରୀଷ୍ମ ଅବକାଶ ପ୍ରଶିକ୍ଷଶ (ସମର୍‌ ଇଣ୍ଟର୍ଣ୍ଣସିପ୍‌) ବାଧ୍ୟତାମୂଳକ ହେବ। ଏଥି ପାଇଁ ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜର କର୍ତ୍ତୃପକ୍ଷ ଆସନ୍ତା ଜାନୁଆରି ୩୦ ସୁଦ୍ଧା ଶିଳ୍ପ ସଂସ୍ଥା ଚୟନ କରି ସବିଶେଷ କାର୍ଯ୍ୟାନ୍ଵୟନ ଯୋଜନା (ଅକ୍ସନ୍‌ ପ୍ଲାନ୍‌) ଚୂଡ଼ାନ୍ତ କରିବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଅତିରିକ୍ତ ସଚିବ (ଉଚ୍ଚ ଶିକ୍ଷା)ଙ୍କ ଅଧ୍ୟକ୍ଷତାରେ ଗତ ୧୫ ତାରିଖରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ସହ ଛାତ୍ରଛାତ୍ରୀଙ୍କ ସଫଳତା ନିମନ୍ତେ ୮ ସୂତ୍ରୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନିମନ୍ତେ ବର୍ଷକୁ ୩ଟି ସମର୍‌ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନେ ଯେପରି ‘ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌-୨୦୧୮’ରେ ଭାଗ ନେବେ, କର୍ତ୍ତୃପକ୍ଷ ଉଦ୍ୟମ କରିବେ। ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ’ (ଗ୍ୟାଟ୍‌)ରେ ପ୍ରତି ବର୍ଷ ସରକାରୀ ଇଞ୍ଜିନିୟରିଂ କଲେଜର ଅନ୍ୟୂନ ୨୫% ଛାତ୍ରଛାତ୍ରୀ ସଫଳ ହେବା ପାଇଁ ସେମାନଙ୍କୁ ଆବଶ୍ୟକ କୋଚିଂ ବ୍ୟବସ୍ଥା କରାଯିବ। ଅଧ୍ୟାପକମାନେ ନିୟମିତ ବ୍ୟବଧାନରେ ଅଭିବିନ୍ୟାଶ (ଓରିଏଣ୍ଟେସନ୍‌) ତାଲିମ ନେବେ। ଏଥିପାଇଁ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କର୍ତ୍ତୃପକ୍ଷ ଯଥା ଶୀଘ୍ର ସମୟ ସୂଚୀ (କ୍ୟାଲେଣ୍ଡର୍‌) ଚୂଡ଼ାନ୍ତ କରିବାକୁ ପରାମର୍ଶ ଦିଆଯାଇଛି। ସ୍ୱୟମ୍‌ (ଷ୍ଟଡ଼ି େଓ୍ଵବ୍ସ ଅଫ୍‌ ଆକ୍ଟିଭ ଲର୍ଣ୍ଣିଂ ଫର୍‌ ୟଙ୍ଗ ଆସ୍‌ପିରାଣ୍ଟସ୍‌) ଏବଂ ନ୍ୟାସନାଲ୍‌ ନଲେଜ୍‌ ନେଟ୍‌ଓ୍ଵର୍କ (ଏନ୍‌କେଏନ୍‌)ରେ ଉଚ୍ଚ ମାନର ଶିକ୍ଷା ଓ ଶିକ୍ଷା ଉପାଦାନ ଉପଲବ୍ଧ ହେଉଥିବାରୁ ସରକାରୀ ଇଞ୍ଜିନିୟରିଂ କଲେଜ୍‌ଗୁଡ଼ିକର ସବୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଏଥିରେ ପଞ୍ଜୀକୃତ ହେବାକୁ ବାଧ୍ୟ କରାଯିବ। ପ୍ରତ୍ୟେକ ଇଞ୍ଜିନିୟରିଂ ବିଭାଗ ପାଇଁ ସର୍ବନିମ୍ନ ୬ଟି ବିଜ୍ଞାନାଗାର ଅପରିହାର୍ଯ୍ୟ, ତେଣୁ ଆଗାମୀ ୩ ବର୍ଷ ମଧ୍ୟରେ ସବୁ ସରକାରୀ ଇଞ୍ଜିନିୟରିଂ କଲେଜରେ ବିଭାଗଓ୍ଵାରି ୬ଟି ଲେଖାଏଁ ବିଜ୍ଞାନାଗାର କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଇଞ୍ଜିନିୟରିଂ କଲେଜ୍‌ ‘କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ (ସିଇଟି)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ଜାତୀୟ ପ୍ରକଳ୍ପ କାର୍ଯ୍ୟାନ୍ଵୟନ ଶାଖା (ଏନ୍‌ପିଆଇୟୁ)କୁ ପ୍ରସ୍ତାବ ଦିଆଯିବ। ସମସ୍ତ ସହବନ୍ଧିତ ସରକାରୀ କଲେଜଗୁଡ଼ିକର ଆବଶ୍ୟକତା ପୂରଣ ନିମନ୍ତେ ବିପିୟୁଟି ଏହାର ଏଟିୟୁ ସେଲ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରି ଯଥା ଶୀଘ୍ର ପ୍ରସ୍ତାବ ସଂଗ୍ରହ କରି ଆସନ୍ତା ୧୫ ଦିନ ମଧ୍ୟରେ ଏନ୍‌ପିଆଇୟୁରେ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ଦାଖଲ କରିବ। ଏହି ୮-ସୂତ୍ରୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍‌) ଦାଖଲ କରିବାକୁ ବିପିୟୁଟି ସମେତ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜ ମୁଖ୍ୟମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର