ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲା ସୀମା ଟେକଲଗୁଡ଼େମ୍‌ରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ମାଓବାଦୀ। ପୁଲିସ କ୍ୟାମ୍ପ୍‌ ନିକଟରେ ଅତର୍କିତ ଆକ୍ରମଣ ଯୋଗୁଁ ୩ଜଣ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ କୋବ୍ରା-୨ ବାଟାଲିୟନ୍‌ର ଦେବନ ସି, ପବନ କୁମାର ଏବଂ ସିଆରପିଏଫ୍‌-୧ର ‌ଲମ୍ବୋଦର ସିହ୍ନା। ସେହିପରି ୧୫ଜଣ କୋବ୍ରା ଯବାନ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଓ ଦମନ ପାଇଁ ଟେକଲଗୁଡ଼େମ ଅଞ୍ଚଳରେ ଆଜି ହିଁ ପୁଲିସ ପକ୍ଷରୁ ନୂତନ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଅପରାହ୍ନ ପ୍ରାୟ ୩ଟାରେ ଏହି କ୍ୟାମ୍ପରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ପହଞ୍ଚିଥିଲା। ବିଜାପୁର-ସୁକମା ଜିଲ୍ଲା ସୀମାନ୍ତ ଜୋନାଗୁଡ଼ା ଓ ଅଲିଗୁଡ଼ା ନିକଟରେ ମାଓବାଦୀ ଠୁଳ ହୋଇଥିବା ଖବର ମିଳିଥିଲା। ତେଣୁ କୋବ୍ରା, ଏସ୍‌ଟିଏଫ୍, ଡିଆର୍‌ଜି, ସିଆର୍‌ପିଏଫ୍‌ ଯବାନ ମିଳିତ ଅପରେସନ ଆରମ୍ଭ କରିଥିଲେ। ଯବାନ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପହଞ୍ଚିବାମାତ୍ରେ ମାଓବାଦୀ ଆକ୍ରମଣ ଆରମ୍ଭ କରିଥିଲେ। ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲେ ସୁଦ୍ଧା କଡ଼ା ଜବାବ ଦେଇଥିଲେ ଯବାନ। ଆକ୍ରମଣ ଖବର ପାଇ କ୍ୟାମ୍ପରୁ ଅଧିକ ସଂଖ୍ୟାରେ ଯବାନ ପହଞ୍ଚିବାରୁ ମାଓବାଦୀ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।

Advertisment

ଗୁରୁତର ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜଗଦଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ ୨୦୧ କୋବ୍ରା ବାଟାଲିୟନ ଡେପୁଟି କମାଣ୍ଡାଣ୍ଟ ଲକ୍ଷ୍ୟବୀର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ ରାଜେଶ ପଞ୍ଚାଳ, ଅଖିଳେଶ ଯାଦବ, ରାଉତ ଓମ ପ୍ରକାଶ, ହରେନ୍ଦ୍ର ସିଂହ, ଖେଡ଼କର ରାମଦାସ, ଗୋପୀନାଥ ବାସୁମତାଢ଼ୀ, ମନୋଜ ନାଥ, ଏମ୍. ଇରଫାନ, ବିକାଶ କୁମାର, ବେଣୁଧର ସାହୁ, ଇ. ‌ଭେଙ୍କେଟେଶ, ଟି. ମଧୁ କୁମାର, ମଲକିତ ସିଂହ, ଅବିନାଥ ଶର୍ମା ରହିଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ୨୦୨୧ ମସିହା ଏପ୍ରିଲ ୩ରେ ମଧ୍ୟ ଟେକଲଗୁଡ଼େମରେ ମାଓବାଦୀଙ୍କ ଆକ୍ରମଣରେ ୨୩ ଯବାନ ସହିଦ ଓ ୩୫ ଜଣ ଆହତ ହୋଇଥିଲେ।