ଆନନ୍ଦପୁର: ଘସିପୁରା ବ୍ଲକ୍ ଦେଓଗାଁର କୁଶଳେଶ୍ବରଙ୍କ ପୀଠକୁ ପାଣି ଢାଳିବାକୁ ଆସିଥିବା ବେଳେ ତିନିଜଣ କାଉଡ଼ିଆ କୁଶେଇ ନଦୀରେ ଭାସି ଯାଇଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସେମାନଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି। ସକାଳ ପ୍ରାୟ ସାଢେ୯ଟାବେଳେ ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଚନ୍ଦନ ସୁବୁଦ୍ଧି(୨୨), ଭାଲୁ ପ୍ରଧାନ(୨୦), ମଣ୍ଟୁ ରାଉତ(୧୬) କୁଶେଇ ନଦୀର ଦେଓଗାଁ ଘାଟରେ ପାଣି ଉଠାଇବାକୁ ଯାଇଥିବାବେଳେ ଗଣ୍ଡରେ ଭାସି ଯାଇଥିଲେ।
ସେମାନଙ୍କ ସହିତ ଥିବା ମୁକେଶ ପାତ୍ର(୨୦) ଡାକ ପକାଇବାରୁ ସ୍ବେଚ୍ଛାସେବୀ ଆକାଶ କୁମାର ସାହୁ, ସିପୁନ୍ ପାତ୍ର ପାଣିକୁ ଡ଼େଇଁ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାରପରେ ସେମାନଙ୍କୁ ଦେଓଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଉଦ୍ଧାର କରିଥିବା ଦୁଇ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।