ଟ୍ରେନ୍‌ ପଛକୁ ଗଡ଼ିବା ଘଟଣା: କ୍ଷୟକ୍ଷତି କୋଟି ଟପିବ, ୩ କିଲୋମିଟର ରେଳଧାରଣା କ୍ଷତିଗ୍ରସ୍ତ

-ବିଦ୍ୟୁତ ବ୍ୟବସ୍ଥା ବାଧାପ୍ରାପ୍ତ, ମରାମତି ଜାରି, ସ୍ବାଭାବିକ ହେବାକୁ ୫/୬ ଦିନ ଲାଗିବ

ରାଉରକେଲା: ଲୁହାପଥର ବୋଝେଇ ଟ୍ରେନ୍‌ ପ୍ରାୟ ୨୨ କିଲୋମିଟର ପଛକୁ ଗଡ଼ିବା ଓ ବଗି ଲାଇନଚ୍ୟୁତ ହେବା ଘଟଣାର ଉଚ୍ଚସ୍ତରୀୟତଦନ୍ତ ଆରମ୍ଭ ହୋଇଯାଇଛି। ଆଜି ସକାଳେ ଚକ୍ରଧରପୁର ରେଳବାଇ ଡିଭିଜନ୍‌ର ଡିଆର୍‌ଏମ୍‌ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଡ୍ୟୁଟିରତ କର୍ମଚାରୀ, ମରାମତିରେ ନିୟୋଜିତ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଜାରି ରହିଛି। ମରାମତି କାର୍ଯ୍ୟ ଆଉ ୨/୩ ଦିନ ସମୟ ଲାଗିବବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ତେବେ କ୍ଷତିଗ୍ରସ୍ତ ରେଳଧାରଣା, ବିଦ୍ୟୁତ ବ୍ୟବସ୍ଥା ଆଦିକୁ ଦେଖିଲେ, ମରାମତି କାର୍ଯ୍ୟ ସଂପନ୍ନ ହେବାକୁ ଆଉ ୫/୬ ଦିନ ସମୟ ଲାଗିବାର ସମ୍ଭାବନା ରହିଛି। ଅପରପକ୍ଷରେ ଦୁର୍ଘଟଣାଜନିତ କ୍ଷୟକ୍ଷତି କୋଟି ଟପିବ। ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ରେଳଧାରଣା ଉଠିଯାଇଛି। ଏହାସହ ବିମଳାଗଡ଼ ରେଲୱେ ୟାର୍ଡ୍‌ର ୫ଟି ଟ୍ରାକ୍‌ର ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତିର ପ୍ରକୃତ ପରିମାଣ କେତେ ହେବ, ତା’ର ଆକଳନ କରାଯାଉଛି। ଏଡି ଅଘଟଣବେଳେ ଆହତ ଦୁଇ କର୍ମଚାରୀ ସଣ୍ଟର ଏନ.କେ.ଚାଟାର୍ଜୀ ଓ ଟୋକନ ପୋର୍ଟର ଏ.ମିଞ୍ଜ ସୁସ୍ଥ ଥିବା ଜଣାପଡ଼ିଛି।

ଗତକାଲି ଘଟିଥିବା ଏହି ଟ୍ରେନ୍‌ ଦୁର୍ଘଟଣା ଲୋମଟାଙ୍କୁରା ଥିଲା। ଟ୍ରେନ୍‌ ୨୨ କିଲୋମିଟର ପଛକୁ ଗଡ଼ିବା, ସମସ୍ତଙ୍କୁ ଚକିତ କରିବା ସହ ଭୟର ବାତାବରଣ ଖେଳାଇଦେଇଥିଲା। ମଙ୍ଗଲବାର ସନ୍ଧ୍ୟା ପ୍ରାୟ ୭ଟା। ରାଉରକେଲାକୁ ଆସିବାକୁ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌ ବରସୁଆଁ ଷ୍ଟେସନରେ ଛିଡ଼ା ହୋଇଥିଲା। ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ସଣ୍ଟର୍‌ ଏନ.କେ. ଚାଟାର୍ଜୀ ଓ ଟୋକନ ପୋର୍ଟର ଏ.ମିଞ୍ଜ୍‌ ନିଜ ନିଜ କାମ ସଂପାଦନ କରୁଥିଲେ। ଏତିକିବେଳେ ଟ୍ରେନ୍‌ ଟି ହଠାତ୍‌ ରୋଲିଂ ହୋଇଯାଇଥିଲା‌। ରେଳଧାରଣା ଗଡ଼ାଣିଆ ଥିବାରୁ ପଛକୁ, ଅର୍ଥାତ୍‌ ଟ୍ରେନ୍‌ ବିମଳାଗଡ଼ ରେଲୱେ ୟାର୍ଡ ଆଡ଼କୁ ଗଡ଼ିଥିଲା। କିଛି ସମୟପରେ ଟ୍ରେନ୍‌ର ବେଗ ପ୍ରାୟ ୧୧୦ କିଲୋମିଟର ଛୁଇଁଥିଲା। ଏହାଦେଖି ବରସୁଆଁ ଷ୍ଟେସନରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀ ଟ୍ରେନ୍‌କୁ ଲାଇନଚ୍ୟୁତ କରିବାକୁ ଯୋଜନା କରିଥିଲେ। ଧନଜୀବନ କ୍ଷତି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ବିମଳାଗଡ଼ ରେଲୱେ ୟାର୍ଡରେ ଲାଇନଚ୍ୟୁତ କରିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ତେବେ ସେତେବେଳକୁ ଟ୍ରେନ୍‌ ବେଗ ଧରିସାରିଥିଲା।

ବିମଳାଗଡ଼ ରେଲୱେ ୟାର୍ଡ ପହଞ୍ଚିବାର ପ୍ରାୟ ୩ କିଲୋମିଟର ପୂର୍ବରୁ ଟ୍ରେନ୍‌ର ୧୭ଟି ବଗି ଆପେ ଆପେ ଅନ୍ୟ ବଗିଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ, ଅର୍ଥାତ୍‌ ୟାର୍ଡ୍‌କୁ ପହଞ୍ଚିବାର ପ୍ରାୟ ଦେଢ଼ କିଲୋମିଟର ପୂର୍ବରୁ ପୁନର୍ବାର ଆଉ ୨୧ଟି ବଗି ବିଚ୍ଛିନ୍ନ ହୋଇଯାଇଥିଲା। କେବଳ ୨୧ଟି ବଗି ସହ ଉକ୍ତ ଟ୍ରେନ୍‌ଟି ରେଲୱେ ୟାର୍ଡରେ ପଶିଥିଲା। ଟ୍ରେନ୍‌ ୪ ନମ୍ବର ଟ୍ରାକ୍‌ରେ ଆସିବାପରେ ବଳକା ୨୧ଟି ବଗିକୁ ଯୋଜନାବଦ୍ଧଭାବେ ଇଞ୍ଜିନଠାରୁ ବିଛିନ୍ନ କରାଯାଇଥିଲା।

ତେବେ ବିମଳାଗଡ଼ ରେଲୱେ ୟାର୍ଡ୍‌ରେ ବଗି ବିଛିନ୍ନ କରାଯିବାବେଳେ ଶେଷ ୩ଟି ବଗି ୩ ନମ୍ବର ଟ୍ରାକ୍‌ରେ ଛିଡ଼ା ହୋଇଥିବା ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ଉପରକୁ ଚଢ଼ିଯାଇଥିଲା। ଏନେଇ ଚକ୍ରଧରପୁର ରେଳମଣ୍ଡଳ ଡିସିଏମ୍‌(ଫ୍ରେଟ୍‌) ବିଜୟ କୁମାର ଯାଦବ କହିଛନ୍ତି, ଘଟଣା ଘଟିବାପରଠାରୁ ମରାମତି ପାଇଁ ବିଭାଗ ତତ୍ପରତା ଦେଖାଇଛି। ବନ୍ଧମୁଣ୍ଡା, ଚକ୍ରଧରପୁର, ଝାରସୁଗୁଡ଼ା ରେଳ ଖଣ୍ଡରୁ କ୍ରେନ୍‌ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ଅଣାଯାଇଛି। ସମେତ ସମସ୍ତ ବିଭାଗୀୟ କର୍ମଚାରୀ ମରାମତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଆଗାମୀ ୨/୩ ଦିନ ଭିତରେ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବକ୍‌ ହେବ। କାହା ଅବହେଳା ଯୋଗୁଁ ଏହି ଅଘଟଣ ଘଟିଲା, ତାହା ଉଚ୍ଚସ୍ତରୀୟ କମିଟି ଦ୍ବାରା ତଦନ୍ତ ‌କରାଯିବ। ଅବହେଳାକାରୀ କର୍ମଚାରୀଙ୍କ ବିରୋଧରେ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ହେବବୋଲି କହିଛନ୍ତି।

ସମ୍ବନ୍ଧିତ ଖବର