ହାଇଦ୍ରାବାଦରେ ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା : ରାସ୍ତାରେ ୨ ଦିନ ପଡ଼ିରହିଲା ଶବ, ୯ ଲକ୍ଷ ଲେଖା କ୍ଷତିପୂରଣ ପରେ ସମୂହ ଶବ ଦାହ

ଚାନ୍ଦବାଲି : ହାଇଦ୍ରାବାଦରେ ମାଟି ଅତଡ଼ା ଧସି ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ୨ ଦିନ ଧରି ପଡ଼ିରହିବା ପରେ ସତ୍କାର କରାଯାଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ମୃତଦେହ ଆଣିଥିବା ଆମ୍ବୁଲାନ୍ସକୁ ୨ ଦିନ ଧରି ଅଟକ ରଖିଥିଲେ। ଶେଷରେ, କମ୍ପାନି କର୍ତ୍ତୃପକ୍ଷ ୯ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବା ପରେ ଗାଁ ମଶାଣିରେ ୩ ଜଣଙ୍କ ଶବକୁ ସମୂହ ଦାହ କରାଯାଇଛି।

ଏହି ୩ ଜଣ ହେଲେ, ବାଘନଟା ଗାଁର ସହଦେବ ମହାଳିକଙ୍କ ଦୁଇ ପୁଅ ବିକାଶ ଓ ପ୍ରକାଶ ଏବଂ ଅନ୍ୟ ଜଣେ ହେଲେ ଯାଜପୁର ମୁକୁନ୍ଦପୁର ଗାଁର କ୍ଷେତ୍ରବାସୀ ସାହୁଙ୍କ ବଡ଼ ପୁଅ ମାନସ ସାହୁ ଗତ ୭ ତାରିଖ ଦିନ କମ୍ପାନି ନିର୍ଦେଶରେ ସେମାନେ ଓଭର ଡ୍ୟୁଟି କରିବା ଆରମ୍ଭ କରିଥିଲେ। ବିକାଶ, ପ୍ରକାଶ ସହ ଯାଜପୁରର ମାନସ ଗୋଟିଏ ସ୍ଥାନରେ ପାଇପ୍‌ ବିଛାଉଥିବା ବେଳେ ହଠାତ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିବାରୁ ୩ ଜଣ ଯାକ ମାଟି ତଳେ ଚାପି ହୋଇ ପ୍ରାଣ ହରାଇଥିଲେ।

ତହିଁ ପରଦିନ ମୃତ ଶ୍ରମିକଙ୍କ ପରିବାରକୁ ପରେ ଉଚିତ କ୍ଷତିପୂରଣ ପ୍ର୍ରଦାନ କରାଯିବ କହି କମ୍ପାନି କର୍ତୃପକ୍ଷ ୩ଟି ଆମ୍ବୁଲାନ୍ସରେ ଶବଗୁଡ଼ିକୁ ଘରକୁ ପଠାଇ ଦେଇଥିଲେ। ହେଲେ ବାଘନଟା ଗାଁରେ ଶବ ଆସି ପହଞ୍ଚିଲେ ମଧ୍ୟ କ୍ଷତିପୂରଣ ଦେବାକୁ କମ୍ପାନିର କେହି ନ ଆସିବାରୁ ଗ୍ରାମବାସୀ ଗାଁ ମୁଣ୍ଡରେ ଶବ ସହ ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ।

ଗତକାଲି ଗାଁର କିଛି ଭଦ୍ରଲୋକ ଯତୀନ୍ଦ୍ର ମହାନ୍ତି, ଅଭିରାମ ଦାସ, ଅଜୟ ସୁତାର, ସହଦେବ ମହାଳିକ, କ୍ଷେତ୍ରବାସୀ ସାହୁ, ବଳରାମ ସାହୁ, ନିରାକାର ସାହୁ, ଠିକାଦାର ପ୍ରଶାନ୍ତ ପଢ଼ିଆରୀ ପ୍ରମୁଖ ହାଇଦ୍ରାବାଦରେ ପହଞ୍ଚି ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ନେଇ କମ୍ପାନି କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ପ୍ରଥମେ ସେମାନେ ରାଜି ହୋଇ ନ ଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରିକି କମ୍ପାନି କର୍ତୃପକ୍ଷ ଆମ୍ବୁଲାନ୍ସ ନ ଛାଡ଼ିଲେ ସମସ୍ତଙ୍କୁ ହାଇଦ୍ରାବାଦରେ ଅଟକ ରଖିବାକୁ ଧମକ ଦେଇଥିଲେ। ତେବେ ଗ୍ରାମବାସୀଙ୍କ ନିକଟରେ ଏ ଖବର ପହଞ୍ଚିବା ପରେ ସେମାନେ ଆମ୍ବୁଲାନ୍ସ ସହ ସାଙ୍ଗରେ ଆସିଥିବା ଲୋକଙ୍କୁ ଜାଳିଦେବେ ବୋଲି ପାଲଟା ଧମକ ଦେଇଥିଲେ। ଶେଷରେ ବହୁ ଛକାପଞ୍ଝା ପରେ କମ୍ପାନି କର୍ତୃପକ୍ଷ ଜଣ ପିଛା ୯ ଲକ୍ଷ ଟଙ୍କା କରି କ୍ଷତିପୂରଣ ଡ୍ରାଫ୍ଟ ଆକାରରେ ପ୍ରଦାନ କରିବାରୁ ବାଘନଟା ଗାଁରେ ୨ ଦିନ ଧରି ଶବ ସହ ଅଟକ ଥିବା ଅମ୍ବୁଲାନ୍ସଗୁଡ଼ିକୁ ଛାଡ଼ି ଦିଆଯାଇଥିଲା। ପରେ ପରିବାର ଲୋକେ ୩ଟି ଶବ ନିକଟସ୍ଥ ଶ୍ମଶାନରେ ଦାହ କରିଥିଲେ।

ସମ୍ବନ୍ଧିତ ଖବର