ସମ୍ବଲପୁର: ନିକଟରେ ରାମ୍‌ସାର୍‌ ସାଇଟ୍‌ ଭାବେ ଘୋଷଣା ହୋଇଥିବା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ନୂଆ ଉଚ୍ଚତା ଛୁଇଁଛି। ଏଥର ଏହି ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚାନେଲ୍ ଜଳାଶୟରେ ରେକର୍ଡ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଗଣନାରୁ ଜଣା ପଡ଼ିଛି। ୨୦୨୨ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଚଳିତ ବର୍ଷ ମୋଟ ୧୦୮ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏହି ନୂଆ ପ୍ରଜାତିର ପକ୍ଷୀମାନେ ହେଲେ ବାର-ଟେଲ୍‌ଡ ‌ଗଡ୍‌ୱିଟ୍‌, ପିଏଡ୍ ହାରିଅର୍‌, କର୍ଲିଉ ସାଣ୍ଡପାଇପର୍, କଟନ୍ ପିଗ୍‌ମି ଗୁସ୍, କାସ୍ପିଆନ୍ ଟର୍ନ, ବ୍ଲୁ’ ଟେଲ୍‌ଡ ବି-ଇଟର୍‌, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ୍, ଉଲି ନେକ୍‌ଡ ଷ୍ଟର୍କ, ୟୋଲୋ ବିଲ୍‌ଡ ଡକ୍ ଆଣ୍ଡ ପେଣ୍ଟେଡ୍‌ ଷ୍ଟର୍କ। ଚଳିତ ବର୍ଷ ଜଳଭଣ୍ଡାରକୁ ସର୍ବାଧିକ ସଂଖ୍ୟାରେ ଆସିଥିବା ପ୍ରଜାତିମାନଙ୍କ ମଧ୍ୟରେ ଲେସର ହ୍ବିସିଲିଂ ଡକ୍ ୬୬,୭୧୨ଟି, ଟଫ୍‌ଟେଡ୍ ଡକ୍ ୪୪,୮୨୦ଟି ଓ କମନ୍ କୁଟ୍ ୩୪,୬୮୦ଟି ରହିଛନ୍ତି।

Advertisment

ଏହି ତିନି ପ୍ରଜାତିର ପକ୍ଷୀ ମିଶି ୧ ଲକ୍ଷ ୪୬ ହଜାରରୁ ଅଧିକ ବୋଲି ବନବିଭାଗ ସୂତ୍ରରୁ ଜଣା ପଡ଼ିଛି। ଜଳଭଣ୍ଡାରକୁ ଅଧିକ ସଂଖ୍ୟାରେ ଅାସିଥିବା ଅନ୍ୟ ପ୍ରମୁଖ ପ୍ରଜାତି ଗୁଡ଼ିକ ହେଲେ ସ୍କିମର୍‌, କ୍ରେଷ୍ଟେଡ୍‌ ଗ୍ରେବ୍‌, ଡାର୍ଟର୍‌, କର୍ମୋରାଣ୍ଟ ଜାକାନା, ପୋଚାର୍ଡସ, ଷ୍ଟିଲ୍‌ଟ, ଲପ୍‌ୱିଂ, ସାଣ୍ଡପାଇପର୍‌, ବିଭିନ୍ନ ପ୍ରକାରର ଗଲ୍‌ସ, ଟର୍ନସ୍, ପ୍ଲୋଭର୍‌, ସ୍ରାଇକ୍ ଇତ୍ୟାଦି। ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାରକୁ ୧୪ଟି ଓ ପାୱାର୍‌ ଚାନେଲ୍‌କୁ ଗୋଟିଏ, ଏଭଳି ୧୫ଟି ସେକ୍ଟର୍‌ରେ ଭାଗ କରା ଯାଇଥିଲା। ସେଥି ମଧ୍ୟରୁ ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ସେକ୍ଟର୍‌-୬ରେ ୬୬ ପ୍ରଜାତିର ସର୍ବାଧିକ ୮୫,୨୧୬ଟି ପକ୍ଷୀ, ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ ଥିବା ସେକ୍ଟର୍‌-୫‌େର ୬୫ ପ୍ରଜାତିର ୭୨,୨୭୫ଟି ପକ୍ଷୀ, ଝାରସୁଗୁଡ଼ା ଜିଲ୍ଲା ଝାରପଡ଼ା ଅଞ୍ଚଳସ୍ଥିତ ସେକ୍ଟର୍‌ ୭ରେ ୪୮ ପ୍ରଜାତିର ୪୦,୩୭୨ଟି ପକ୍ଷୀଙ୍କୁ ଗଣତି କରା ଯାଇଥିଲା। ଏହି ୩ଟି ସେକ୍ଟର୍‌ରେ କେବଳ ୨ ଲକ୍ଷ ପାଖାପାଖି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା।

publive-image

ଚଳିତ ବର୍ଷ ନୂଆ ପକ୍ଷୀମାନଙ୍କୁ ଚିହ୍ନଟ କରିଥିବା ବିଶେଷଜ୍ଞ ଓ ବନ କର୍ମଚାରୀମାନେ ହେଲେ ସଂଜୀବ ପଣ୍ଡା, ଆଶିଷ ଜେନା, ଶୁଭମ ରାଉତ, ଡ. ପ୍ରକାଶ ଜେନା, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ମମତା ପର୍‌ମାର, ଭୁବନେଶ୍ବର ମୁଦୁଲି, ଶୁଭେନ୍ଦୁ ମୁଦୁଲି, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ଭୁବନେଶ୍ବର ପାତ୍ର ଚିହ୍ନଟ କରିଥିଲେ ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପକ୍ଷୀପ୍ରେମୀଙ୍କୁ ଆନନ୍ଦିତ କରିଛି। ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏହି ସଂଖ୍ୟା ଢେର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷୀ ଗଣନାରେ ୨୦୨୦ରେ ୯୩ ପ୍ରଜାତିର ୯୭,୮୯୯ଟି, ୨୦୨୧ରେ ୯୮ ପ୍ରଜାତିର ୧,୨୪,୮୬୪ଟି, ୨୦୨୨ରେ ୧୦୪ ପ୍ରଜାତିର ୨,୦୮,୬୩୪ଟି ପକ୍ଷୀ ଚିହ୍ନଟ ହୋଇଥିଲେ।