ଭୁବନେଶ୍ୱର : ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କ ପ୍ରସବ ସମୟରେ ମୃତ୍ୟୁ ବରଣ କରିଥିବା ମାମଲାରେ ରାଜ୍ୟ ମାନବାଧିକାର କମିସନ ରାୟ ଶୁଣାଣି କରିଛନ୍ତି। କମିସନ ମୃତ ମହିଳାଙ୍କ ପତି କ୍ଷମାନିଧି ସାହୁଙ୍କୁ ୨ ମାସ ମଧ୍ୟରେ ୩ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପରବର୍ତୀ ସମୟରେ ରାଜ୍ୟ ସରକାର ସଂପୃକ୍ତ ଡାକ୍ତର ଦ୍ୱୟଙ୍କ ଦରମାରୁ ୩ ଲକ୍ଷ ଟଙ୍କା ଆଦାୟ କରିବେ। ଏହା ଛଡ଼ା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଉତ୍କଳ ନାୟକ ଓ ଭେଷଜ ଡାକ୍ତର ନନ୍ଦ କିଶୋର ନାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନ୍ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ସୋନପୁର ସିଡିଏମ୍ଙ୍କୁଙ୍କୁ ପ୍ରସ୍ତାବ ଦେଇଛନ୍ତି।
ହାଜତରେ ଅଭିଯୁକ୍ତଙ୍କୁ ବେଡ଼ି ପକାଇ ରଖିବା ଘଟଣା : ୫୦ ହଜାର ଟଙ୍କା କ୍ଷତିପୂରଣ ନିର୍ଦେଶ
ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ନାଲ୍କୋନଗର ଥାନାରେ ଜଣେ ଅଭିଯୁକ୍ତକୁ ହାଜତ ଭିତରେ ପୁଲିସ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ଶୁଣାଣି କରିଛନ୍ତି। ଅଭିଯୁକ୍ତ ମାର୍କଣ୍ଡ ନାଏକଙ୍କୁ ୮ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। କମିସନ୍ଙ୍କ ନିର୍ଦେଶ କପି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟକୁ ପଠାଇ ଦିଆଯାଇଛି। ଘଟଣାଟି ୨୦୧୫ ସେପ୍ଟେମ୍ବରରେ ଘଟିଥିଲା। ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଆଇନଜୀବୀ ପ୍ରବୀର କୁମାର ଦାସ ଓ ରାଧାକାନ୍ତ ତ୍ରିପାଠୀ ପିଟିସନ୍ ଦାଖଲ କରିଥିଲେ। ମାର୍କଣ୍ଡଙ୍କ ଗୋଡ଼ରେ ବେଡ଼ି ପକାଇଥିବା ପୁଲିସ ଅଧିକାରୀ ଏସ୍ଆଇ ଧୀରେନ୍ଦ୍ର କୁମାର ସ୍ୱାଇଁ, କନ୍ଷ୍ଟେବଲ୍ କୋଇଲି କିଷାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜିଙ୍କୁ ସୁପାରିସ୍ କରିଛନ୍ତି କମିସନ।