ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ୩ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ପବିତ୍ର ମାଘ ସପ୍ତମୀ ଅବସରରେ ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଆବାହନ କରିଛନ୍ତି। ମଙ୍ଗଳବାର ଭୋର ୪ଟାରୁ ବୁଡ଼ ପକାଇବା ପର୍ବ ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୬ଟା ୧୫ରେ ସୂର୍ଯ୍ୟୋଦୟ ଦର୍ଶନ ପରେ ସମବେତ ଶ୍ରଦ୍ଧାଳୁଙ୍କ ହୁଳହୁଳି, ହରିବୋଲ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ଆତ୍ମବିଭୋର ହୋଇଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ପରେ ମହୋଦଧି କୂଳରେ ସୂର୍ଯ୍ୟଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସମବେତ ହୋଇଥିଲେ। ପରେ ଶ୍ରଦ୍ଧାଳୁମାନେ କୋଣାର୍କ ନବଗ୍ରହପୀଠରେ ହୋମଯଜ୍ଞ, ପୂଜାର୍ଚ୍ଚନା କରି ପରିବାରର ସୁଖଶାନ୍ତି କାମନା କରିଥିଲେ। ମାଘସପ୍ତମୀ ଉପଲକ୍ଷେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିବାରୁ ସୂର୍ଯ୍ୟମନ୍ଦିରରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଶାମ୍ବ ଦଶମୀଠାରୁ ଚନ୍ଦ୍ରଭାଗାରେ ଅବସ୍ଥାନ କରିଥିବା ସୂର୍ଯ୍ୟରଥ ୨୭ ତିଥି ନକ୍ଷତ୍ରରେ ପୂଜା ପାଇବା ପରେ ମାଘସପ୍ତମୀ ତିଥିରେ କୋଣାର୍କ ଅବଧୂତ ମଠକୁ ବାହୁଡ଼ିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା. ସାର୍ଥକ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କ ସମେତ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମାଘମେଳା ପରିଚାଳନା ଦାୟିତ୍ବ ବୁଝିଥିଲେ।

ସମ୍ବନ୍ଧିତ ଖବର