କଟକ: ରାଜ୍ୟର ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ଏବେ ୬୧ ପ୍ରତିଶତ ପଦବି ଖାଲି ପଡିଛି। କଟକ କମିସନରେଟ୍ ପୁଲିସର ଡିଏଫ୍ଏସ୍ଏଲ୍(ଜିଲ୍ଲା ଫରେନ୍ସିକ୍ ସାଇନ୍ସ ଲାବରେଟୋରି) ସମେତ ୧୨ଟି ପୁଲିସ ଜିଲ୍ଲାର ଲାବରେଟୋରିରେ ତାଲା ପଡ଼ିଲାଣି। ଯାହାଫଳରେ ୩ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ନହୋଇ ପଡ଼ିଛି। ଠିକ୍ ସମୟରେ ରିପୋର୍ଟ କୋର୍ଟରେ ଦାଖଲ ହେଉ ନଥିବାରୁ ଏହା ପରୋକ୍ଷରେ ଅଭିଯୁକ୍ତଙ୍କୁ ସୁହାଉଛି।
ରାଜ୍ୟ କ୍ରାଇମବ୍ରାଞ୍ଚ ନିୟନ୍ତ୍ରଣରେ ଥିବା ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟୋରି ଅଧୀନରେ ୩୬ଟି ପୁଲିସ ଜିଲ୍ଲା ପାଇଁ ୩୬ଟି ଡିଏଫ୍ଏସ୍ଏଲ୍ ରହିଛି। ଏହା ସହିତ ୩ଟି ଆଞ୍ଚଳିକ ଫରେନ୍ସିକ୍ ସାଇନ୍ସ ଲାବରେଟୋରି ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ବରରେ ରହିଛି। ଏହି ସମସ୍ତ ଲାବରେଟୋରିରେ ମୋଟ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ପ୍ରାୟ ୨୫୦। ଏଥିରୁ ୬୧ ପ୍ରତିଶତ ପଦବି ଖାଲି ପଡ଼ିଛି। ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦବି ଥିବା ବେଳେ ଏବେ ସେଥିରେ କେହି ନାହାନ୍ତି। ଉପନିର୍ଦେଶକ ୪ଟି ପଦବି ବି ଖାଲି ପଡିଛି। ସହକାରୀ ନିର୍ଦ୍ଦେଶକ ୨୧ଟି ମଞ୍ଜୁରିପ୍ରାପ୍ତ ପଦବିରୁ ୬ଟି ଖାଲି ପଡ଼ିଛି। ସାଇଣ୍ଟିଫିକ୍ ଅଫିସର ପଦବି ୭୯ଟି ଥିବା ବେଳେ ୩୫ ଜଣ ଅଛନ୍ତି। ସହକାରୀ ସାଇଣ୍ଟିଫିକ୍ ଅଫିସର ପଦବି ୭୬ଟି ଥିବା ବେଳେ ଅଛନ୍ତି ୨୫ ଜଣ।
ଏଭଳି କର୍ମଚାରୀ ଅଭାବ ରହିଥିବାରୁ ରାଜ୍ୟର ୧୨ଟି ଜିଲ୍ଲାରେ ଥିବା ୧୨ ଡିଏଫ୍ଏସ୍ଏଲ୍ରେ ତାଲା ପଡ଼ିଲାଣି। ଜିଲ୍ଲାସ୍ତର ଡିଏଫ୍ଏସ୍ଏଲ୍ରେ ଜଣେ ସାଇଣ୍ଟିଫିକ୍ ଅଫିସର ଓ ଜଣେ ଲ୍ୟାବ୍ ଆଟେଣ୍ଡାଣ୍ଟ ରହିବାକୁ ଥିବା ବେଳେ ସେମାନଙ୍କ ପଦବି ଖାଲି ପଡ଼ିଥିବାରୁ ଏହା କାର୍ଯ୍ୟକ୍ଷମ ହେଉନାହିଁ। ଦେବଗଡ଼, କନ୍ଧମାଳ, ମାଲକାନଗିରି, ନୂଆପ୍ଡ଼ା, ସୁବର୍ଣ୍ଣପୁର, କଟକ କମିସନରେଟ୍ ପୁଲିସ, ସୁନ୍ଦରଗଡ଼, ଜଗତସିଂହପୁର, ବ୍ରହ୍ମପୁର, ବରଗଡ଼ ଭଳି ଜିଲ୍ଲାର ଡିଏଫ୍ଏସ୍ଏଲ୍ରେ ତାଲା ଝୁଲୁଛି। ଏହି ଜିଲ୍ଲାଗୁଡ଼ିକରେ ଡିଏଫ୍ଏସ୍ଏଲ୍ ବନ୍ଦ ପଡ଼ିଥିବାରୁ ଅପରାଧ ଘଟିଲେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟୋରି ଉପରେ ନିର୍ଭର କରିବାକୁ ପଡ଼ୁଛି। ଅନ୍ୟପଟେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ବି କର୍ମଚାରୀ ଅଭାବ ଗୁରୁତର ସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୩ଟି ଆଞ୍ଚଳକି ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ଜଣେ ଲେଖାଏ ଉପନିର୍ଦେଶକ ଦାୟିତ୍ବରେ ରହିବା କଥା। କିନ୍ତୁ ଏବେ ଜଣେ ବି ନାହାନ୍ତି। ସେହିଭଳି ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ଉପନିର୍ଦେଶକ ରହିବା କଥା। କିନ୍ତୁ ସେହି ପଦବି ଖାଲି ପଡ଼ିଛି।
୨୦୨୩ ଡିସେମ୍ବରରେ ୨୫୦ ଅତିରିକ୍ତ ନୂଆ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନଥିବା ବେଳେ ସ୍ବୀକୃତିପ୍ରାପ୍ତ ପଦବିର ବି ୬୧ ପ୍ରତିଶତ ଖାଲି ପଡ଼ିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଭିନ୍ନ ଅପରାଧ ମାମଲାରେ ଜବତ ସାମଗ୍ରୀର ପରୀକ୍ଷା ପାଇଁ ଯେଉଁ ସଂଖ୍ୟାରେ ସାମଗ୍ରୀ ଆସୁଛି, ପରୀକ୍ଷା ପାଇଁ ଏହାର ପାଳି ପଡ଼ିଲା ବେଳକୁ ପାଖାପାଖି ୨ ବର୍ଷରୁ ଅଧିକ ଦିନ ଲାଗିଯାଉଛି। ଫଳରେ ଏହା ଅପରାଧୀଙ୍କୁ ସୁହାଉଛି। ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁ ହେଉଥିବା ଲୋକଙ୍କ ଭିସେରା ରିପୋର୍ଟ ମିଳିଲା ପରେ ହିଁ ଜିଲ୍ଲା ପ୍ରଶାସନ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଥାଏ। କିନ୍ତୁ ରିପୋର୍ଟ ଠିକ୍ ସମୟରେ ନପହଞ୍ଚିବାରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ସମ୍ଭବ ହୋଇପାରୁ ନାହିଁ।
ଓଡ଼ିଶା ହାଇକୋର୍ଟ ୨୦୧୫ ଏପ୍ରିଲ ୬ ଏବଂ ୨୦୨୧ ଅଗଷ୍ଟ ୯ ତାରିଖରେ ଦୁଇଟି ନିର୍ଦ୍ଦେଶନାମାରେ ରାଜ୍ୟ ସରକାରଙ୍କୁ ଫରେନ୍ସିକ୍ ସାଇନ୍ସ ଲାବରେଟୋରିର ଭିତ୍ତିଭୂମି ଓ ଲୋକବଳ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦୨୪ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ମାମଲାରେ ଦୋଷୀ ସାବ୍ୟସ୍ତ ହାରରେ ବଡ଼ ଧରଣର ପ୍ରଭାବ ପକାଉଛି। ଏ ପ୍ରସଂଗରେ ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ଫରେନ୍ସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ରିପୋର୍ଟ ମାମଲାକୁ ଅଧିକ ସୁଦୃଢ଼ କରିଥାଏ। ରିପୋର୍ଟ ବିଳମ୍ବ ହେଲେ ଅଭିଯୁକ୍ତ ଖଲାସ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଶ୍ରୀ ମାରିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/KvYNLpeGJSqKwGvoluOv.jpg)