ତିନି ରାଜପଥ ଲୁଟେରା ଗିରଫ

ଖୋର୍ଦ୍ଧା: ତିନି ଦିନ ପୂର୍ବେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ଲୁଟ ମାମଲାରେ ଆଜି ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସଦର ଥାନା ଅଧିକାରୀ ବିଦିତା ନାୟକଙ୍କ ସୂଚନାନୁସାରେ, ୧୭ ତାରିଖ ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପଣ୍ଡିତ ଢାବା ଠାରେ ଗାଡ଼ି ରଖି ଏକ ଟ୍ରକର ଚାଳକ ଓ ସହାୟକ ଖାଉଥିଲେ । ଏହି ସମୟରେ ସେଠାରେ ଏକ ମୋଟର ସାଇକଲରେ ତିନିଜଣ ଯୁବକ ଆସି ଟଙ୍କା ମାଗିଲେ । ଟ୍ରକ ଚାଳକ ମନା କରିବାରୁ ସେମାନେ ଲୁହାଛଡ଼, ଠେଙ୍ଗା ଆଦିରେ ଚାଳକ ଓ ସହାୟକଙ୍କୁ ଆକ୍ରମଣ କରି ୨ଟି ମୋବାଇଲ୍, ୫ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ ।

ଏନେଇ ଲିଖିତ ଅଭିଯୋଗ ହେବା ପରେ ୧୫୪/୨୦୨୨ରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଥିଲା । ଆଜି ଜଙ୍କିଆର ସୁଶାନ୍ତ ପ୍ରଧାନ, ଜଟଣୀର ଆଦିତ୍ୟ ସାହୁ, ନରଣଗଡ଼ର ସତ୍ୟ ରଂଜନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ମୋଟରସାଇକଲ, ଲୁହାଛଡ଼, ଠେଙ୍ଗା, ଛୁରୀ ଆଦି ମାରଣାସ୍ତ୍ର ଜବତ କରାଯାଇଛି ।

ସମ୍ବନ୍ଧିତ ଖବର