ଶ୍ରୀମନ୍ଦିରରେ ଭକ୍ତଙ୍କୁ ଲୁଟ୍ : ୩ ଗିରଫ, ୫ ହଜାର ଟଙ୍କା ଜବତ

ପୁରୀ : ଆଜି ଶ୍ରୀମନ୍ଦିରରେ ଦୁଇ ଦୁଇଟି ଲୁଟ୍ ଘଟଣା ଘଟିଛି। ଏହି ପୃଥକ ପୃଥକ ଘଟଣାରେ ପୁଲିସ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ହଜାର ଟଙ୍କା ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁଗୁଳରୁ ପୁରୀକୁ ବୁଲିବାକୁ ଆସିଥିବା ଅନିଲ ମହାନ୍ତି ଆଜି ଅପରାହ୍ନ ଦୁଇଟା ସମୟରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ରହୁଥିବା ଖୋର୍ଦ୍ଧାର ରବି ନାୟକ(୨୨) ତାଙ୍କ ପଞ୍ଜାବୀ ପକେଟରୁ ମନିପର୍ସ ଲୁଟି ନେଇଥିଲେ। ଏହା ଜଣାପଡ଼ିବା ପରେ ସେ ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ସେଠାରେ ସାଦା ପୋଷାକଧାରୀ ପୁଲିସ ରବିକୁ ଧରି ସିଂହଦ୍ବାର ଥାନା ଜିମାରେ ଦେଇଥିଲେ। ଏ ସମ୍ପର୍କରେ ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରି ରବିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ପୁଲିସ ଦୁଇ ହଜାର ଟଙ୍କା ଜବତ କରି ଅନିଲଙ୍କ ଜିମା ଦେଇଛନ୍ତି।

ସେହିପରି ଅପରାହ୍ନ ତିନିଟା ସମୟରେ ଝାଡ଼ଖଣ୍ଡ ବୋକାରୋରୁ ପୁରୀକୁ ବୁଲିବାକୁ ଆସିଥିବା ଶକ୍ତିପଦ ଝା ସପରିବାରେ ଶ୍ରୀମନ୍ଦିରକୁ ଯାଇଥିଲେ। ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଶକ୍ତିପଦଙ୍କ ପକେଟରୁ ମଧ୍ୟ ମନିପର୍ସଟିକୁ ଜଣେ ମହିଳା ନେଇ ପଳାଇଥିଲେ। ସେଠାରେ ଥିବା ସାଦା ପୋଷାକଧାରୀ ପୁଲିସ ଦୁଇଜଣ ମହିଳାଙ୍କୁ ଧରିଥିଲେ। କଟକ ତାଳ ସାହିର କେ. ଗୀତା(୪୮) ଓ ଗୌରୀ ଦାସ(୪୫)ଙ୍କ ନିକଟରୁ ପୁଲିସ ୩ ହଜାର ଟଙ୍କା ଜବତ କରିଥିଲା। ଏ ସମ୍ପର୍କରେ ଶକ୍ତିପଦଙ୍କ ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର