ମାଲକାନଗିରି: ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ୭ ମାଓ ଶିବିର ଧ୍ୱସ୍ତ

ମାଲକାନଗିରି: ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଅଞ୍ଚଳରେ ଏହି ଅପରେସନ ଚାଲିଥିଲା। ଘଟଣାସ୍ଥଳରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ଦେଇଛି ପୁଲିସ।


ଏସଟିଏଫ୍, ଡିଆରଜି, ବିଏସଏଫ୍ ଏବଂ ଆଇଟିବିପି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିପାରିଛି। ଏକ ବଡ଼ ଧରଣର ମାଓ ଦମନ ଅପରେସନକୁ ମାଓବାଦୀ ସାମ୍ନା କରି ନ ପାରି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀଙ୍କୁ ଡରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ପୁଲିସର ଅପରେସନ ବେଳେ ବରମଟୋଲ, କୁଦୁଲପାଡ଼, କୁମଚଲମେଟା, ଟେକମେଟା ଏବଂ କୁକୁରଗାଓଁର ଜଙ୍ଗଲ ଏବଂ ପାହାଡ଼ୀ ଇଲାକାରେ ପୁଲିସ ମାଓ କ୍ୟାମ୍ପ ଘେରାବନ୍ଦୀ କରିଥିଲା। ଏହି ସୂଚନା ପାଇ ପୁଲିସ ଉପରେ ଗୁଳି ଚଳାଇଥିଲେ ମାଓବାଦୀ।

ତେବେ ପୁଲିସ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା। ପୁଲିସର ଗୁଳିରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ଦେଇଛି ପୁଲିସ। ତେବେ ପୁଲିସ ଗୁଳିକୁ ସାମ୍ନା କରି ନ ପାରି ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପୁଲିସର ସର୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର