ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓ ହିଂସା ଥମୁନି। ଯବାନ ଓ ପୁଲିସକୁ ଚକ୍ମା ଦେଇ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି। ସର୍ଚ୍ଚ ଅପରେସନ୍ ସମୟରେ ଝାଡ଼ଖଣ୍ଡ ଲାତେହାର ପୁଲିସକୁ ଆଜି ବଡ଼ ସଫଳତା ମିଳିଥିବାବେଳେ ମାଓ ସଙ୍ଗଠନର ତିନିଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାସ୍ତାରେ ଏକ କାର୍ରେ ତିନିଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ସେମାନେ ବାଲୁମାଥ ଅଞ୍ଚଳରେ ବଡ଼ଧରଣ ହିଂସାକାଣ୍ଡ ଭିଆଇବାକୁ ଯାଉଥିବାବେଳେ ପୁଲିସ ଟିମ୍ ସେମାନଙ୍କୁ ମାଡ଼ିବସିଥିଲା।
ଗିରଫ ତିନି ମାଓବାଦୀ ହେଲେ ପ୍ରତାପ ଗଞ୍ଜୁ, ସନ୍ତୋଷ ଗଞ୍ଜୁ ଓ ଅଶୋକ ଗଞ୍ଜୁ। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଦେଶୀ ବନ୍ଧୁକ, ୪୦ଟି କ୍ୟାଟ୍ରିଜ୍, ୧୨ଟି ମୋବାଇଲ, ୩୧ଟି ମାଓବାଦୀ ପୋଷ୍ଟର, କାର ଓ ଡାଏରି ଜବତ ହୋଇଛି। ମାଓନେତା ପ୍ରକାଶ ଗଞ୍ଜୁ ପୂର୍ବରୁ ହତ୍ୟାକାଣ୍ଡରେ ଜେଲ୍ ଯାଇଥିଲା। ତା’ ନାଁରେ ବହୁ ଆପରାଧିକ ମାମଲା ରହିଛି। ମାଓବାଦୀ ସଙ୍ଗଠନକୁ ସୁଦୃଢ଼ କରିବା ସହ ସୀମାନ୍ତରେ ନିଜ ଉପସ୍ଥିତି ଜାହିର କରିବାକୁ ପ୍ରତାପ ଗଞ୍ଜୁ କୋଇଲା ବ୍ୟବସାୟୀ, ଠିକାଦାର ଓ ଅନ୍ୟମାନଙ୍କୁ ଧମକଚମକ ଦେଇ ମୋଟା ଅଙ୍କର ବଟି ଆଦାୟ କରୁଥିଲା। ପୁଲିସ ଜବତ କରିଥିବା ଡାଏରିରୁ ଏହା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/dgdagdzcvvc-2025-10-15-02-03-15.jpg)