ଡକରା ଘାଟିରେ ପୁଲିସ-ମାଓବାଦୀ ଏନ୍‌କାଉଣ୍ଟର : ମୃତ୍ୟୁ ସଂଖ୍ୟା ୪ ହେଲା, ସମସ୍ତେ ମହିଳା ମାଓବାଦୀ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଡକରା ଘାଟିରେ ରବିବାର ରାତିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ସମୁଦାୟ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ମହିଳା ବୋଲିି ଜଣାପଡ଼ିଛି। ସୋମବାର  ସରକାରୀ ଭାବେ ଏ ନେଇ  ସୂଚନା ଜାରି କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନାକୁ ଆଧାର କରି  ରବିବାର ରାତିରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ କମ୍ବିଂ ଅପରେସନରେ ବାହାରି ଡକରା ଘାଟି ଜଙ୍ଗଲରେ ପଶିଥିଲେ। ଏହି ଜଙ୍ଗଲରେ କ୍ୟାମ୍ପ କରିଥିବା ମାଓବାଦୀ ହଠାତ୍‌ କ୍ୟାମ୍ପ ଉଠାଇ ପଳାଇ ଯିବାକୁ ସମୟ ପାଇ ନ ଥିଲେ। ତେଣୁ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଯବାନଙ୍କ ପ୍ରବଳ ଆକ୍ରମଣର ମୁକାବିଲା କରିନପାରି ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ମାଓ କ୍ୟାମ୍ପକୁ ନିଜ ନିୟନ୍ତ୍ରଣକୁ ନେଇ ଯବାନମାନେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ଗୁଳି ବିନିମୟରେ ସମୁଦାୟ ୪ ମହିଳା ମାଓବାଦୀ ନିହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ସମସ୍ତ ନିହତ ମାଓବାଦୀ ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିବା ଜଣାପଡ଼ିଥିବା ବେଳେ ନାମ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ନଥିଲା। ଦୁର୍ଦ୍ଦାନ୍ତ ମାଓନେତ୍ରୀ ଅରୁଣା ସେମାନଙ୍କ ନେତୃତ୍ୱ ନେଉଥିବା ସୂଚନା ମିଳିଛି।

ରବିବାର ରାତିରେ ମୃତାହତଙ୍କ ସଂଖ୍ୟା ନେଇ ପୁଲିସ ସଠିକ ସୂଚନା ଦେଇପାରି ନ ଥିଲା।   ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ କହିବାନୁଯାୟୀ, ବିଳମ୍ବିତ ରାତିରେ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିିଛି। ଏହି ଘଟଣା ପରେ ନାରାୟଣପାଟଣା ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ନାରାୟଣପାଟଣା ପୁଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ମିଳିତ ଭାବେ ନାକାବନ୍ଦି କରି ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର