ମହାନଦୀ ଏରିଆ କମିଟିର ୩ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ବର : ଡିଜିଙ୍କ ଭୁବନେଶ୍ବରସ୍ଥିତ କ୍ୟାମ୍ପ ଅଫିସ୍‌ରେ ଆଜି ମହାନଦୀ ଏରିଆ କମିଟିର ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ଇସରୁଙ୍ଗ ଅଞ୍ଚଳର ଲକମା ମାଡ଼ଭି ଓରଫ୍ ଲଖନ(୩୭), ଏରିଆ କମିଟି ସଦସ୍ୟ ସୁକମା ଜିଲ୍ଲା କମଲପାଦ ଅଞ୍ଚଳର ଗଙ୍ଗା ମାଡ଼କାମ୍ ଓରଫ୍ ନିତେଶ ଓରଫ୍ ସେଣ୍ଡ୍ରା(୨୬) ଏବଂ ସୁକମା ଜିଲ୍ଲା ଚିନ୍ତାକୁପା ଥାନା ଦୁଲାଦ ଅଞ୍ଚଳର ପାର୍ଟି ମେମ୍ବର ଶୁକା ସୋଡ଼ି ଓରଫ୍ ନବୀନ(୧୯)। ଏ ନେଇ ଆଜି ଡିଜିପି ଅଭୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନିକଟରେ କନ୍ଧମାଳ ଗୋଚ୍ଛାପଡ଼ାରେ ଏନକାଉଣ୍ଟରରେ ଏମାନେ ସାମିଲ ରହିଥିବା ଜଣାପଡ଼ିଛି। ତେବେ କେଉଁ କେଉଁ ନିର୍ଦ୍ଦିଷ୍ଟ ହିଂସାକାଣ୍ଡରେ ସାମିଲ ସେ ସମ୍ପର୍କରେ ପୁଲିସ ପକ୍ଷରୁ କିଛି କୁହାଯାଇ ନାହିଁ।

ମିଳିଥିବା ସୂଚନା ଅନୁସାରେ, ୨୦୧୮ରେ ଏନକାଉଣ୍ଟରରେ କେକେବିଏନ୍ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନର ଦୁର୍ଦ୍ଦାନ୍ତ ସଦସ୍ୟ ବାଦଲ ନିହତ ହେବା ପରେ ଏମାନେ କେକେବିଏନ୍ ଡିଭିଜନ ଅଧୀନରେ ମହାନଦୀ ଏରିଆ କମିଟିରେ କାମ କରୁଥିଲେ। ଯାହାର ନାଁ ଥିଲା କୋଡ଼ଙ୍ଗା-ମହାନଦୀ-ସଂଯୁକ୍ତ। ତେବେ ଗୋଚ୍ଛାପଡ଼ ଓ ନିକଟସ୍ଥ ଅଞ୍ଚଳରେ ପୁଲିସର ବାରମ୍ବାର ଅପରେସନରେ ଏମାନେ ଭୟଭୀତ ହୋଇ ପଡ଼ିଥିଲେ। ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଥଇଥାନ ନୀତିରେ ପ୍ରଭାବିତ ହୋଇଥିଲେ। ଯାହା ଫଳରେ ସେମାନେ ଆତ୍ମସମର୍ପଣ କରିଥିଲେ ବୋଲି ପୁଲିସ ଓ ଗଣମାଧ୍ୟମକୁ କହିଛନ୍ତି। କଡ଼ା ସୁରକ୍ଷା ବଳୟରେ ସମସ୍ତଙ୍କୁ କନ୍ଧମାଳ ନିଆଯାଇଛି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର