ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ସଂଲଗ୍ନ ଇବ୍‌ନଦୀ ସେମିନା ଘାଟରେ ଘଟିଛି ଅଘଟଣ। ଶନିବାର ପରିବାର ସହ ବଣଭୋଜି କରିବାକୁ ଯାଇ ଗାଧୋଉ ଥିବାବେଳେ ଗୋଟିଏ ପରିବାରର ୨ ନାବାଳକଙ୍କ ସହ ୩ ଜଣ ନିଖୋଜ ହୋଇଯାଇଛନ୍ତି। ନଦୀ ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି। ସେମାନେ ‌ହେଲେ ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫), ମହମ୍ମଦ ରିଜୱାନ (୧୭) ଏବଂ ମହମ୍ମଦ ସାହିଦ (୩୫)। ମହମ୍ମଦ ଫରାନଙ୍କ ଜନ୍ମଦିନ ଥିବାରୁ ପରିବାର ଲୋକେ ଖୁସି ମନାଇବାକୁ ନଦୀପଠାକୁ ଆସିଥିଲେ। କେକ୍‌ କାଟିଥିଲେ, ନାଚିଥିଲେ। ହେଲେ ସେ ଖୁସି ଉତ୍ସବ ଯେ ଏତେ ବଡ଼ ବିଷାଦ ଆଣିଦେବ ତାହା କିଏ ବା ଜାଣିଥିଲା। ଭୋଜିର ମିଠା କୋଳାହଳ କିଛି କ୍ଷଣ ମଧ୍ୟରେ କାନ୍ଦବୋବାଳିରେ ପରିଣତ ହୋଇଗଲା। ଖବରପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ। ବୋଟ୍‌ ସାହାଯ୍ୟରେ ବୁଡ଼ାଳି ପାଣିରେ ବୁଡ଼ି ଖୋଜୁଥିଲେ ମଧ୍ୟ ସେମାନଙ୍କ କୌଣସି ସନ୍ଧାନ ମିଳି ନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ, ଶନିବାର ୧୦ଟାରେ ରିଜେଣ୍ଟ ମାର୍କେଟର ମହମ୍ମଦ ଅପ୍ପୁଙ୍କ ପରିବାର ମହମ୍ମଦ ଫରାନଙ୍କ ଜନ୍ମଦିନ ପାଇଁ ବଣଭୋଜି କରିବାକୁ ଇବ୍‌ନଦୀ ସେମିନା ଘାଟକୁ ଯାଇଥିଲେ। ସମସ୍ତେ ଖାଇସାରିବା ପରେ ୨ ଭାଇ ମହମ୍ମଦ ଫରାନ ଓ ମହମ୍ମଦ ରିଜୱାନ ନଦୀକୁ ଗାଧୋଇବାକୁ ପଶିଥିଲେ। ହେଲେ ଚୋରାବାଲିରେ ଦୁହିଙ୍କ ଗୋଡ଼ ଫସି ଯାଇଥିଲା। ସେମାନେ ବୁଡ଼ିବାକୁ ଯାଉଥିବା ବେଳେ ଆର୍ତ୍ତ ଚିତ୍କାର କରିଥିଲେ। ପାଟି ଶୁଣି କାକା ମହମ୍ମଦ ସାହିଦ ତାଙ୍କୁ ବଞ୍ଚାଇବାକୁ ପାଣିକୁ ଡେଇଁଥିଲେ। କିନ୍ତୁ ସେ ମଧ୍ୟ ଚୋରା ବାଲିରେ ଫସି ବୁଡ଼ି ଯାଇଥିଲେ। ମୁଖକର୍କଟରେ ଆକ୍ରାନ୍ତ ମହମ୍ମଦ ସାହିଦ ଚିକିତ୍ସା ପ‌ରେ ମୃତ୍ୟୁମୁଖରୁ ଫେରି ଆସିଥିଲେ। କିନ୍ତୁ ଏଠାରେ ତାଙ୍କୁ ମୃତ୍ୟୁ ଜଗିଥିଲା ‌ଯେମିତି। ୩ ଜଣଙ୍କ ନିଖୋଜ ପରେ କାନ୍ଦବୋବାଳିରେ ସାରା ଅଞ୍ଚଳ ଫାଟି ପଡ଼ିଥିଲା।

କାନ୍ଦ ଓ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମଧ୍ୟ ଦୌଡ଼ି ଆସିଥିଲେ। କିନ୍ତୁ ‌ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। କିନ୍ତୁ କାହାକୁ ଠାବ କରାଯାଇପାରି ନାହିଁ। ଅନ୍ଧାର ହୋଇଥିବାରୁ ଉଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।
୨୦୧୦ ହୋଲିଦିନ ସୁନ୍ଦରଗଡ଼ ସହରର ୩ ଜଣ ଯୁବକ ଚୋରାବାଲିରେ ଫସି ପ୍ରାଣ ହରାଇଥିଲେ। ତା' ପରେ ଆହୁରି ଅନେକଙ୍କ ଜୀବନ ଯାଇଛି। କିନ୍ତୁ ପ୍ରଶାସନ ବେଫିକର ରହିଥିବା ଅଭିଯୋଗ ହୋଇଛି। କୌଣସି ସୁରକ୍ଷା ବ୍ୟବସ୍ଥା କି ବଣଭୋଜି ଋତୁରେ ସୁରକ୍ଷାକର୍ମୀ ମୁତୟନ କରିବା ତ ଦୂରର କଥା ବିପଦର ସାମାନ୍ୟ ସତର୍କ ସୂଚନା ଫଳକଟେ ବି ଲଗାଇ ନାହିଁ। ଘାଟରେ ମାତ୍ର ପାଦବୁଡ଼ା ପାଣି ଥିବାରୁ ପିଲାଏ ଖୁସି ମନରେ ଭିତରକୁ ପଶନ୍ତି। କମ୍‌ ପାଣି ଥିବାରୁ ବାପାମା, ଅଭିଭାବକ ମଧ୍ୟ ପିଲାଙ୍କୁ ଛାଡ଼ି ଦିଅନ୍ତି। କିନ୍ତୁ କିଛି ଫୁଟ ଦୂର‌‌ରେ ୨୦ ଫୁଟର ବିରାଟ ଗହ୍ବର ଓ ଚୋରାବାଲି ଥିବାରୁ ଅସତର୍କ ମୁହୂର୍ତ୍ତ‌ରେ ଲୋକେ ସେଠାରେ ଫସି ପ୍ରାଣ ହରାଉଥିବା ଜଣାପଡ଼ିଛି। ତେଣୁ ପ୍ରଶାସନ ଏ ଘାଟକୁ ନିଷେଧାଞ୍ଚଳ ଘୋଷଣା ସହ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି ହେଉଛି।