ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ବଲମନେଡ଼୍ରା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେହିପରି ଘଟଣାସ୍ଥଳରୁ ବିପୁଳ ସାମଗ୍ରୀ ଜବତ ହୋଇଛି। ଅନ୍ୟପଟେ ଚିନ୍ନାଗେଲୁର ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ବାସାଗୁଡ଼ା ଥାନା ଅନ୍ତର୍ଗତ ବଲମନେଡ଼୍ରା ଜଙ୍ଗଲରେ ମଦେଡ଼ ଏରିଆ କମିଟି ଡିଭିସିଏମ୍ ବିନୋଦ କର୍ମା, ଆବାପଲ୍ଲୀ ଏଲ୍ଓଏସ୍ ରାଜୁ ପୁନେମ, ଏସିଏମ୍ ବିଶ୍ବନାଥ, ଗୁଡ଼ଡ଼ୁ ତେଲାମଙ୍କ ସମେତ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପ କରିଥିଲେ। ଖବର ମିଳିବା ପରେ ବିଜାପୁର ଡିଆର୍ଜି ଓ କୋବ୍ରା ୨୧୦ ବାଟାଲିୟନ୍ ଯବାନ ମିଳିତ ଭାବେ ବେଲଗୁଟ୍ଟା ପାହାଡ଼ ଅଭିମୁଖେ ବାହାରିଥିଲେ। ସକାଳ ପ୍ରାୟ ୭ଟାରେ ବଲମନଡ଼୍ରା ଜଙ୍ଗଲରେ ପଶିବା ପରେ ପୂର୍ବରୁ ପ୍ରସ୍ତୁତ ରହିଥିବା ମାଓବାଦୀ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର ପାଲଟା ଜବାବ ଦିଆଯିବାରୁ ଉଭୟପଟୁ ଅଧଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା।
ଏହାର ସାମ୍ନା କରିନପାରି ମାଓବାଦୀ ଛତ୍ରଭଙ୍ଗ ଦେବାରୁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ କରିଥିଲେ। ଘଟଣାସ୍ଥଳରୁ ୨ଜଣ ମହିଳାଙ୍କ ସମେତ ୩ଜଣ ମାଓବାଦୀଙ୍କ ଶବ ମିଳିଥିଲା। ସେମାନଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରୁ ୨ଟି ବନ୍ଧୁକ, ଗୋଟିଏ ପିସ୍ତଲ, ୫ଟି ଗୁଳି, ୧୫ଟି ଜିଲେଟିନ୍ ଷ୍ଟିକ୍, ୫ଟି ଡିଟୋନେଟର, ୧୫ମିଟର ତାର, ବିସ୍ଫୋରକ ସହ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଶେଷ ଖବର ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବିଜାପୁର ଡେପୁଟି ଏସ୍ପି ଗରିମା ସୂଚନା ଦେଇଛନ୍ତି। ସେହିପରି ବିଜାପୁର ଜିଲ୍ଲାର ମାଓ ପ୍ରଭାବିତ ଚିନ୍ନାଗେଲରୁସ୍ଥିତ କ୍ୟାମ୍ପରୁ ଏସ୍ଟିଏଫ୍ ଯବାନ ଆଜି ସକାଳୁ କମ୍ବିଂ ଅପରେସନରେ ବାହାରିଥିଲେ। ଗୁଣ୍ଡେମର ତୋୟା ନାଳ ନିକଟରେ ପୂର୍ବରୁ ଖଞ୍ଜା ହୋଇଥିବା ଆଇଇଡି ଉପରେ ଯବାନ ପ୍ରମୋଦ ଶର୍ମାଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ଏଥିରେ ଯବାନ ପ୍ରମୋଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।