ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା (ଡିଆର୍ଡିଓ) ଦ୍ବାରା ଶନିବାର ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍ଏଚ୍ଓଆର୍ଏଡିଏସ୍) କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ ହୋଇଛି। ଭୂ-ପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ୍ ଲଞ୍ଚର୍ରୁ ଏହି କ୍ଷେପଣାସ୍ତ୍ରର ଆକାଶ ମାର୍ଗରେ ପରୀକ୍ଷଣ କରାଯାଇଥିଲା। ଏହା ୩ଟି ଫ୍ଲାଇଟ୍ ଟେଷ୍ଟ ମିସନ୍ର ଲକ୍ଷ୍ୟ ହାସଲ କରିଥିଲା।
ଭିଏସ୍ଏଚ୍ଓଆର୍ଏଡିଏସ୍ ହେଉଛି ଏକ ପୋର୍ଟେବଲ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାଇଦ୍ରାବାଦସ୍ଥିତ ଡିଆର୍ଡିଓର ଇମାରତ (ଆର୍ସିଆଇ) ଦ୍ବାରା ବିକଶିତ କରାଯାଇଛି। ଏଥିରେ କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆର୍ସିଏସ୍) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ ରହିଛି। ଆକାଶ ମାର୍ଗରୁ କମ୍ ଉଚ୍ଚତାରେ ଆସୁଥିବା ବସ୍ତୁକୁ ଅଳ୍ପ ଦୂରତାରେ ଧ୍ବଂସ କରିବାକୁ ଏହା ସକ୍ଷମ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆର୍ଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ୍ ଏହି ପରୀକ୍ଷଣ ପାଇଁ ଡିଆର୍ଡିଓର ସମସ୍ତ ବୈଜ୍ଞାନିକ ଓ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।