ଗୃହରେ ଅଶୋଭନୀୟତାର ସୀମା ଟପିଲା : ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ

ଜୟନାରାୟଣ, ବିଷ୍ଣୁ ଓ ମୋହନ ନିଲମ୍ବିତ, ତୁରନ୍ତ ଗୃହ ଛାଡ଼ିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଗଣତନ୍ତ୍ରର ପବିତ୍ର ମନ୍ଦିର ବୋଲି କୁହାଯାଉଥିବା ବିଧାନସଭାରେ କିଛି ବିଜେପି ସଦସ୍ୟଙ୍କ ଅଗଣତାନ୍ତ୍ରିକ ଆଚରଣ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି। ମୁତଲବୀ ପ୍ରସ୍ତାବ ଗ୍ରହଣ ନ ହେବା, ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆନଯିବା ଘଟଣାକୁ ନେଇ ଉତ୍‌କ୍ଷିପ୍ତ କିଛି ବିଜେପି ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ, ମାଇକ୍ରୋଫୋନ୍, ପେନ୍‌ଷ୍ଟାଣ୍ଡ୍, ଡଷ୍ଟବିନ୍ ଆଦି ଫିଙ୍ଗିବା ଘଟଣାରେ ବାଚସ୍ପତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଭିଡ଼ିଓ ତର୍ଜମା କରିବା ପରେ ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ, ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଲମ୍ବିତ କରିଥିଲେ। ପରେ ବିଜେପି ବିଧାୟକମାନେ ଗୃହ ବାହାରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ଓ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦି ଗଣମାଧ୍ୟମକୁ ବିବୃତି ଦେଇଥିଲେ। ଏହି ଘଟଣା ବିଧାନସଭା ଇତିହାସରେ ପୁଣି ଏକ କଳଙ୍କର ଦାଗ ଲଗାଇଛି।

ଶନିବା ଶୂନ୍ୟକାଳରେ ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ କରାନଯିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ। ବାଚସ୍ପତି ରୁଲିଂ ଦେଇ କହିଥିଲେ, ଖଣି ଦୁର୍ନୀତି ପ୍ରସଙ୍ଗ ଅତୀତର କଥା। ସଂପ୍ରତି ଘଟିଥିବା ଘଟଣା ଉପରେ ହିଁ ମୁଲତବୀ ଆଲୋଚନା ହୋଇପାରିବ। ତେବେ ଶ୍ରୀ ମିଶ୍ର କହିଥିଲେ, ଖଣି ଦୁର୍ନୀତି ଏବେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛି। ଏହା ବର୍ତ୍ତମାନର ପ୍ରସଙ୍ଗ। ବିରୋଧୀ ଦଳ ନେତା ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଖଣି ଦୁର୍ନୀତି ନେଇ ସବୁବେଳେ ଗୃହରେ ଆଲୋଚନା ହେଉଛି। ସେ ନିଜେ ଏ ପ୍ରଶ୍ନ ପଚାରିଛନ୍ତି। କିନ୍ତୁ ସଠିକ୍‌ ତଥ୍ୟ ମିଳୁନାହିଁ। ଏବେ ବି ହଜାର ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହେଉଛି। ଏହାକୁ ଅନ୍ୟ ଫୋରମ୍‌ରେ ଆଲୋଚନା ପାଇଁ ବାଟ ନ କାଢ଼ି ବାଚସ୍ପତି ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ? ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଖଣି ଦୁର୍ନୀତି ମହାଦୁର୍ନୀତି ଭାବେ ଉଭା ହୋଇଛି। ଖଣି ଦୁର୍ନୀତି ଅର୍ଥରେ ରାଜ୍ୟ ରାଜନୀତି ନିୟନ୍ତ୍ରଣ ହେଉଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ପ୍ରସ୍ତାବ ଦେଇଛନ୍ତି। ଏଣୁ ଏହା ଉପରେ ନିଷ୍ପତ୍ତି ନିଆଯାଉ।

ବାଚସ୍ପତି କୌଣସି ରୁଲିଂ ନ ଦେବାରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ବାଚସ୍ପତି-ବିରୋଧୀ ଦଳ ନେତା-କଂଗ୍ରେସ ବିଧାୟକ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗୃହରେ ହଟ୍ଟଗୋଳ ଜାରି ରହିଥିବା ବେଳେ ବାଚସ୍ପତି ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ନିୟମାବଳୀ, ରାଜ୍ୟ ଖାଦ୍ୟ ସୁରକ୍ଷା ବଣ୍ଟନ ନିୟମାବଳୀ, ତିନିଟି ସିଏଜି ରିପୋର୍ଟ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ମନ୍ତ୍ରୀ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଡାକିଥିଲେ। ସମିତି ପଞ୍ଜୀକରଣ (ଓଡ଼ିଶା ସଂଶୋଧନ), ୨୦୨୧ ବିଚାର ଆଲୋଚନାକୁ ନେବାକୁ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବାଚସ୍ପତି କହିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା କିଛି କହିବାକୁ ଚାହିଁଥିଲେ ହେଁ, ସୁଯୋଗ ମିଳିନଥିଲା।

ଏହା ବିଜେପି ସଭ୍ୟମାନଙ୍କୁ ଅଧିକ ତତାଇ ଦେଇଥିଲା। ସେମାନେ ଗୃହ ମଧ୍ୟଭାଗରେ ବାଚସ୍ପତିଙ୍କ ବିରୋଧରେ ନାରାବାଜି କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ନାଏକ ନିଜ ଡେସ୍କରେ ଥିବା ମାଇକ୍ରୋଫୋନ୍ ହୁଗାଳି ଦେଉଥିବା ଦେଖାଯାଉଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ ତାଙ୍କ ହେଡ୍‌ଫୋନ୍ ସହିତ ସଂପୃକ୍ତ ମାଇକ୍ରୋଫୋନ୍ ଗୁଡାଇ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଫିଙ୍ଗିଥିଲେ ଓ ଏହା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବାଜିଥିଲା। ପରେ ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଚପଲ ଫିଙ୍ଗିଥିଲେ। ପେନ୍‌ଷ୍ଟାଣ୍ଡ୍, ଡଷ୍ଟବିନ୍ ମଧ୍ୟ ଫୋଫାଡ଼ିବା ଦେଖିବାକୁ ମିଳିଥିଲା। ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ଅପରାହ୍ନ ୧ଟା ୨୭ରୁ ୪ଟା ଯାଏ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି।

ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ଶାସକ ଦଳ ସଦସ୍ୟ ଭୂପିନ୍ଦର ସିଂ କହିଥିଲେ, ଆଜି ଯାହାସବୁ ଘଟିଲା ତାହା ବିଧାନସଭା ଇତିହାସରେ କେବେ ବି ଘଟିନଥିଲା। ଓଡ଼ିଶା ବିଧାନସଭାର ମହାନ୍‌ ପରମ୍ପରା ନଷ୍ଟ ହୋଇଛି। ଏଭଳି ଆଚରଣ ଯେଉଁମାନେ ଦେଖେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଯାହା ଘଟିଲା ତାହା ଅତ୍ୟନ୍ତ ଅରୁଚିକର ଓ ଅପ୍ରତ୍ୟାଶିତ। ବିଧାନସଭାରେ ଏପରି ଘଟଣା ପାଇଁ ସେ ଗଭୀର ଭାବେ ମର୍ମାହତ। କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରୁଛି। ଶାସକ ଦଳ ସଦସ୍ୟ ପ୍ରତାପ ଦେବ କହିଥିଲେ, ଗୃହ ଭିତରେ ବିଜେପି ଦଳର ନିର୍ଦ୍ଦିଷ୍ଟ କେତେଜଣ ସଦସ୍ୟ ଯେଭଳି ଆଚରଣ ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାଦ୍ବାରା ବିଧାନସଭାର ଗରିମା କ୍ଷୂଣ୍ଣ ହୋଇଛି। ଏହାକୁ ବିଜୁ ଜନତା ଦଳ ମଧ୍ୟ ନିନ୍ଦା କରୁଛି। ଏପରି ଅଶୋଭନୀୟ ଆଚରଣ କରିଥିବା ବିଜେପି ସଦସ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦେବ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ସେହିପରି ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା, କିଶୋର ମହାନ୍ତି ମଧ୍ୟ ଅନୁରୂପ ଦାବି କରିଥିଲେ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ। କହିଥିଲେ, ବାଚସ୍ପତି ବିରୋଧୀମାନଙ୍କ ଦାବିକୁ ଗ୍ରହଣ ନ କରିବାରୁ ଏପରି ଅବସ୍ଥା ସୃଷ୍ଟି ହେଲା। କଣ ଗୋଟିଏ ଛୋଟମୋଟ ଘଟଣା ଘଟିଛି ତାକୁ ଗୁରୁତ୍ବ ନ ଦେଇ ସମାଧାନ କରନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ଗୃହ ଭିତରେ ପ୍ରତିବାଦ କରିବା ସବୁ ସଦସ୍ୟମାନଙ୍କ ଅଧିକାର ରହିଛି। କିନ୍ତୁ ଏହା ସୀମା ଭିତରେ ରହିବା ଉଚିତ୍‌। କୌଣସି ବି ପରିସ୍ଥିତିରେ ଏହି ସୀମା ଅତିକ୍ରମ କରିବା ଉଚିତ୍‌ ନୁହଁ। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ସଦସ୍ୟ ପ୍ରୀତି ରଞ୍ଜନ ଘଡ଼େଇ ଓ ଭାଗିରଥୀ ସେଠୀ ଦାବି କରିଥିଲେ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଆଜିର ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବାଚସ୍ପତି ତୁରନ୍ତ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ଅଧିନିୟମକୁ ଅନୁଧ୍ୟାନ କରି ଅଶୋଭନୀୟ ଆଚରଣ କରିଥିବା ବିଜେପି ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଚପଲ ଫିଙ୍ଗା ଘଟଣାର ଭିଡିଓ ଚିତ୍ର ଅନୁଧ୍ୟାନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ନିଜ ପ୍ରକୋଷ୍ଠକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହକୁ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ୧୫ ମିନିଟ୍‌ ପରେ ବାଚସ୍ପତି ପୁଣି ଥରେ ଗୃହକୁ ଆସି ବିରୋଧୀ ଦଳ ନେତା , କଂଗ୍ରେସ ବିଧାୟକ ଦଳ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିଜ ପ୍ରକୋଷ୍ଠକୁ ଆମନ୍ତ୍ରଣ କରି ଗୃହକୁ ମୁଲତବୀ ରଖିଥିଲେ। ସନ୍ଧ୍ୟା ୫ଟା ୧୫ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ସଂକ୍ରାନ୍ତ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେ କି ବିଜେପି ସଦସ୍ୟମାନେ ଯେଭଳି ଆଚରଣ କରିଛନ୍ତି ତାହା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ଆଇନର ଧାରା ୨୧୭ ଅନୁଯାୟୀ ଦଣ୍ଡ ପାଇବା ପାଇଁ ଯୋଗ୍ୟ। ପରେ ବାଚସ୍ପତି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପାଇଁ ଅଧିବେଶନର ବାକି ଦିନ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ ଓ ତତ୍‌କ୍ଷଣାତ୍ ଗୃହଛା଼ଡ଼ି ଯିବାକୁ ନିର୍ଦେଶ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଭିଡ଼ିଓ ଚିତ୍ର ଦେଖିବା ବେଳେ ଜଣାପଡ଼ିଲା, ୬ଟି ଜିନିଷ ଫିଙ୍ଗାଯାଇଛି। ହେଲେ ତିନିଜଣ ଚିହ୍ନଟ ହେଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା। ବାକିମାନଙ୍କ ସଂପର୍କରେ ଜଣାପଡ଼ୁନାହିଁ। ଅନ୍ୟମାନଙ୍କ ସଂପର୍କରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଚସ୍ପତି ଘୋଷଣା କରନ୍ତୁ। ବାଚସ୍ପତି ବିଲ୍‌ ଆଲୋଚନାକୁ ନେବାରୁ ଶ୍ରୀ ମିଶ୍ର ଆହୁରି କହିଥିଲେ, ପୂର୍ବରୁ ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିଲା। ଏବେ ବାଚସ୍ପତି ଯେଉଁ ବିଲ୍ ଆଣୁଛନ୍ତି, ସେଥିରେ ଭାଗ ନେବାର ନାହିଁ। ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରି ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ତା ପରେ କଂଗ୍ରେସ ବି କକ୍ଷତ୍ୟାଗ କରିଥିଲା।

ସମ୍ବନ୍ଧିତ ଖବର