ଚିନ୍ତା ବଢ଼ାଇଲାଣି ବ୍ଲାକ୍‌ ଫଙ୍ଗସ୍‌, ରାଜ୍ୟରେ ଆଉ ୩ ରୋଗୀ ଚିହ୍ନଟ!

ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଉ ୩ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇ ନାହିଁ। ତେବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ହସ୍ପିଟାଲକୁ ପ୍ରାୟ ୭ଜଣ ଏଭଳି ସ‌ନ୍ଦିଗ୍ଧ ରୋଗୀ ଆସିଛନ୍ତି। ‌ସେମାନଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୩ଜଣ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହି ସମସ୍ତ ଆକ୍ରାନ୍ତ ପୂର୍ବରୁ କରୋନାରେ ସଂକ୍ରମିତ ଥିଲେ। ଆକ୍ରାନ୍ତ ମୁଖ୍ୟତଃ ଫୁଲବାଣୀ, ଝାରସୁଗୁଡ଼ା ଓ ଅନ୍ୟ ଅଞ୍ଚଳରୁ ରହିଛନ୍ତି। ତେବେ ଉଦ୍‌ବେଗଜନକ ବିଷୟ ହେଲା, ତହିଁରେ ଜଣେ ୩୧ବର୍ଷର ରୋଗୀ ରହିଛନ୍ତି। ତାଙ୍କର କୌଣସି ପ୍ରକାର ରୋଗ ନାହିଁ। ମାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇ ପଡ଼ିଥିବା ବେଳେ ଦୀର୍ଘଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିଥିଲେ। ଏବେ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍‌ର ଲକ୍ଷଣ ରହିଥିବା ଜଣାପଡ଼ିଛି।

ଅପରପକ୍ଷରେ ରାଜଧାନୀର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ ଅବସ୍ଥାରେ ଆଡିମଟ୍‌ ଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ସଂପୃକ୍ତ ହସ୍ପିଟାଲ ପରିଦର୍ଶନ କରିବା ସହିତ ଦୁଇ ରୋଗୀଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ଦୁଇ ରୋଗୀଙ୍କ ମାଇକ୍ରୋବାୟୋଲୋଜି ଓ ହିଷ୍ଟୋପାଥୋଲୋଜି ରିପୋର୍ଟକୁ ଅପେକ୍ଷା କରାଯାଇଛି। ବ୍ଲାକ୍ ଫଙ୍ଗସ୍ ପାଇଁ କରାଯାଉଥିବା କଲଚର ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଯାଜପୁର ଅଞ୍ଚଳର ଜଣେ ୭୧ବର୍ଷର ବ୍ୟକ୍ତି ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ଘରେ ବ୍ୟବାହାର କରୁଥିବା କୁଲରର ବେଣା ଚେରରୁ ସଂକ୍ରମିତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର