ଚିତ୍ରଡ଼ା/ସିଙ୍ଗଡ଼ା: ମୟୂରଭଞ୍ଜରେ ଆଜି ଦିନକରେ ସାପ କାମୁଡ଼ାରେ ୨ଜଣ ଶିଶୁକନ୍ୟା ଓ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୋରଡ଼ା ଥାନା ଅଞ୍ଚଳର ୨ଜଣ ନାବାଳିକାଙ୍କ ମଧ୍ୟରୁ ଜଣେ ହେଲେ ଚିକିଟାମାଟିଆ ଗ୍ରାମର ହିତୁଡ଼ ବିନ୍ଧାଣୀଙ୍କ ୩ ବର୍ଷର ଝିଅ ତନୁ। ସେ ଆଜି ଘର ପାଖରେ ଖେଳୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲା। ଝିଅ ଗୋଡ଼ରୁ ରକ୍ତ ଝରୁଥିବା ଦେଖି ସାପ କାମୁଡ଼ିଥିବା ସନ୍ଦେହରେ ଘରଲୋକ ତାକୁ ମୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ପିଲାଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର।
ସେହିପରି ଟିଆଁସି ଗ୍ରାମର ଭଗ ନାୟକଙ୍କ ଝିଅ ଭୂମିକା (୪) ମଧ୍ୟ ଘର ପାଖରେ ଖେଳୁଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲା। ଝିଅକୁ ବାରିପଦା ଡାକ୍ତରଖାନା ଅଣାଯାଇଥିବା ବେଳେ ଚିକିତ୍ସା ପୂର୍ବରୁ ମୃତ୍ୟୁ ଘଟିଥିଲା। ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ନାବାଳିକାଦ୍ବୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛନ୍ତି। ଏ ନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କରଞ୍ଜିଆ ବ୍ଲକ୍ କେନ୍ଦୁମୁଣ୍ଡି ଅଞ୍ଚଳର ବିଭୂତି ନାଏକ (୩୫) ଗତରାତିରେ ଖାଇସାରି ଶୋଇଥିଲା ବେଳେ ମଝିରାତିରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଦେହରେ ସାପକାମୁଡ଼ା ଚିହ୍ନ ଦେଖି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୋର୍ ୫ଟା ୫୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରଲୋକେ ବିନା ବ୍ୟବଚ୍ଛେଦରେ ଶବ ନେଇ ଯାଉଥିଲେ। ବ୍ୟବଚ୍ଛେଦ ନହେଲେ ୪ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ମିଳିବନି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ।