କରୋନାରେ ମୃତକଙ୍କ ସଂଖ୍ୟା ୬୪ରେ ପହଞ୍ଚିଲା, ଆଜି ୩ ସଂକ୍ରମିତଙ୍କର ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ଉପରୋକ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏମାନଙ୍କର ବୟସ ଯଥାକ୍ରମେ ୫୦, ୫୬ ଏବଂ ୬୫ ବର୍ଷ ଓ ଏମାନେ ସମସ୍ତେ ପୁରୁଷ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଏଠାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୯ ଥିବା ବେଳେ କଟକରେ ୬ରେ ପହଞ୍ଚିଛି। ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ସେହିପରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି।

ସମ୍ବନ୍ଧିତ ଖବର