ମୋ ସରକାରରେ ସାମିଲ୍‌ ହେଲା ଆଉ ୩ ବିଭାଗ

ବର୍ତ୍ତମାନ ସୁଦ୍ଧା ୩୧ବିଭାଗର ୨୫୦ଟି ସେବା ସାମିଲ୍‌ ହେଲେଣି
‘ମୋ ସରକାର’ ସରକାରଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡ଼େଲ ଦେଇପାରିଛି। ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ୍‌ କରନ୍ତୁ। ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଗୁରୁବାର ଦିନ ‘ମୋ ସରକାର’ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସରକାର ଓ ସରକାରୀ ଅନୁଷ୍ଠାନ ଗୁଡ଼ିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ‘ମୋ ସରକାର’ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି।

‘ମୋ ସରକାର’ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁଠାରୁ ଶେଷ ଧାଡ଼ି‌ରେ ଥିବା ‌ଲୋକ ପାଖରେ ସରକାର ପହଞ୍ଚିବା ଏବଂ ସେବା ଯୋଗାଇବାକୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା। ଏଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି। ତୃଣମୂଳ ସ୍ତରରୁ ଯେଉଁ ମତାମତ ମିଳୁଛି, ତାହା ଉତ୍ସାହଜନକ। ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି। ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ବସମ୍ପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ନାଗରିକମାନେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ, ନାଗରିକମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବାର ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାକୁ ପଡ଼ିବ। ଯେଉଁ କର୍ମଚାରୀମାନେ ଲୋକଙ୍କ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ବିଭାଗ ଗୁଡ଼ିକ ସେମାନଙ୍କ ମାନ୍ୟତା ଦେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩ଟି ବିଭାଗ ଯଥା ଅର୍ଥ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ ବିଭାଗକୁ ‘ମୋ ସରକାର’ରେ ସାମିଲ ହେବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ବୈଠକରେ ୬ଟି ବିଭାଗ ଯଥା ଗୃହ, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସମ୍ପଦ ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଥିଲା।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଏହା ଲୋକଙ୍କ ଠାରୁ ମତାମତ ଗ୍ରହଣ କରିବାର ସବୁଠାରୁ ବଡ଼ କାର୍ଯ୍ୟକ୍ରମ। ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ଅଧିକାଂଶ ବିଭାଗର ମତାମତ ବ୍ୟବସ୍ଥା ବହୁତ ଉନ୍ନତ ମାନର ଅଛି। ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି। ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଭାଗରେ ବିଶେଷକରି ଇଞ୍ଜିନିୟରିଂ ବିଭାଗ ଗୁଡ଼ିକରେ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଠାରୁ ମଧ୍ୟ ‘ମୋ ସରକାର’ର କାର୍ଯ୍ୟକ୍ରମରେ ମତାମତ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଜରୁରି ବୋଲି ସେ କହିଥିଲେ। ଏହି ବୈଠକରେ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଲେ ଯେ ରାଜ୍ୟର ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଛି। ଆଜିର ଏହି ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା।

କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ଜ଼ିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର