ଗଞ୍ଜାମକୁ ଭଗବାନ ଭରସା : ପୁଣି ୩ ମୃତ, ୨୪୨ ଜଣ ସଂକ୍ରମିତ

୧୯୯ଜଣ ସୁସ୍ଥ ହେଲେ

ବ୍ରହ୍ମପୁର : ରାଜ୍ୟର କରୋନା ହଟସ୍ପଟ ପାଲଟିଛି ଗଞ୍ଜାମ । କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ମୃତ୍ୟୁ ଓ ସଂକ୍ରମଣ ବଢିଚାଲିଛି । ପ୍ରତିଦିନ ହାରାହାରି ଜଣେ ଦୁଇଜଣଙ୍କ ଜୀବନ ଯାଉଥିବା ବେଳେ ଶତାଧିକ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାର ଏଭଳି ସମ୍ବେଦନଶୀଳ ସ୍ଥିତିରେ ସୁଧାର ଆଣିବା ଲାଗି ଏ ଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଶୀତଳାପଲ୍ଲୀ କୋଭିଡ଼୍-୧୯ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନି । ପୁରୀ ଏବଂ ଭୁବନେଶ୍ୱରରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ କରାଯାଇଛି । କଟକ ବଡଡାକ୍ତରଖାନାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । କିନ୍ତୁ ଗଞ୍ଜାମ ଭଳି ହଟସ୍ପଟରେ ଏହି ଦୁଇ ବ୍ୟବସ୍ଥା ପ୍ରଥମେ ଆରମ୍ଭ ହେବା କଥା ତାହା ଏଯାବତ୍ ହୋଇନାହିଁ । ଲୋକମାନେ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ଉପରୁ ଏକରକମ ଆସ୍ଥା ତୁଟାଇ ଦେଲେଣି । ଏଭଳି ସ୍ଥିତିରେ ଗଞ୍ଜାମକୁ କେବଳ ଭଗବାନ ଭରସା ବୋଲି କୁହାଯାଉଛି । ଆଜି ପୁଣି ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୩ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଳାରୁ ଆଜି ୧୯୯ ଜଣ ସୁସ୍ଥ ହୋଇଛନ୍ତି ।

ମୃତକ ମଧ୍ୟରେ ୨ଜଣ କୋଭିଡ଼୍ ଏବଂ ଜଣେ ଅଣ କୋଭିଡ୍‌ରେ ମୃତ୍ୟୁ ଘଟିଛି । ୭୦ବର୍ଷୀୟ ବୃଦ୍ଧାଙ୍କ କରୋନାରେ ମୃତ୍ୟୁ ଘଟିଛି । ୪୪ ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି । ଏକାଧିକ ଜଟିଳ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ୫୫ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ଅଣକୋଭିଡ଼୍ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଜିଲ୍ଲାରେ ଅଦ୍ୟାବଧି ୫୪ ଜଣ କୋଭିଡ଼୍ ଓ ୪ ଜଣ ଅଣକୋଭିଡ଼୍ରେ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବାରୁ ପ୍ରତ୍ୟହ ରୋଗୀଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି ।

ଜିଲ୍ଳାରୁ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୦ ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୩ ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୧୪ ଜଣ । ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା, ବେଗୁନିଆପଡ଼ା, ଦିଗପହଣ୍ଡି, ଖଲ୍ଲକୋଟ ଓ ପୋଲସରା ଅଞ୍ଚଳର ଜଣେ ଲେଖାଏଁ, ବେଲଗୁଣ୍ଠା ଓ ହିଞ୍ଜିଳିକାଟୁ ଅଞ୍ଚଳର ୨ଜଣ ଲେଖାଏଁ , ଛତ୍ରପୁର ଓ ପାତ୍ରପୁର ଅଞ୍ଚଳର ୩ଜଣ ଲେଖାଏଁ, ବ୍ରହ୍ମପୁର ମହାନଗର ଅଞ୍ଚଳର ୫ଜଣ ଓ ସାନଖେମୁଣ୍ଡି ଅଞ୍ଚଳର ୯ ଜଣ ରହିଛନ୍ତି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ କେବଳ ଛତ୍ରପୁର, ଗଞ୍ଜାମ ଓ ଦିଗପହଣ୍ଡି ଅଞ୍ଚଳର ଜଣେ ଲେଖାଏଁ ରହିଛନ୍ତି ।

ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା, ଭଞ୍ଜନଗର, ଧରାକୋଟ ଅଞ୍ଚଳର ଜଣେ ଲେଖାଏଁ, କୁକୁଡ଼ାଖଣ୍ଡି ଅଞ୍ଚଳର ୨ଜଣ, ଖଲ୍ଲିକୋଟ, ଶେରଗଡ଼ ଓ ପୋଲସରା ଅଞ୍ଚଳର ୪ଜଣ ଲେଖାଏଁ , ପୁରୁଷୋତମପୁର ଅଞ୍ଚଳର ୫ଜଣ, ବେଗୁନିଆପଡ଼ା ଅଞ୍ଚଳର ୮ଜଣ, ହିଞ୍ଜଳିକାଟୁ ଅଞ୍ଚଳର ୧୦ଜଣ, କବିସୂର୍ଯ୍ୟନଗର ଓ ବେଲାଗୁଣ୍ଠା ଅଞ୍ଚଳର ୧୧ଜଣ ଲେଖାଏଁ, ଗଞ୍ଜାମର ୧୪, ବୁଗୁଡ଼ା ଓ ପାତ୍ରପୁର ଅଞ୍ଚଳର ୧୫ଜଣ ଲେଖାଏଁ, ବ୍ରହ୍ମପୁର ମହାନଗର ଅଞ୍ଚଳର ୧୮ଜଣ, ଦିଗପହଣ୍ଡି ଓ ଛତ୍ରପୁର ଅଞ୍ଚଳର ୨୭ଜଣ ଲେଖାଏଁ ଏବଂ ସାନଖେମୁଣ୍ଡି ଅଞ୍ଚଳରୁ ୨୮ଜଣ ସର୍ବାଧିକ ସଂକ୍ରମିତ ରହିଛନ୍ତି ।

ଆଜିର ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୫୫୨୭ରେ ପହଂଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୧୯୯ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୩୭୫୩ରେ ପହଂଚିଛି । ଜିଲ୍ଲାରେ ଏବେ ୧୭୧୬ ସଂକ୍ରମିତ ରହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗ୍ରାଫର ସୂଚନା ଅନୁଯାୟୀ ସଂକ୍ରମିତଙ୍କ ମଧ୍ୟରୁ ୧ ପ୍ରତିଶତଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ପ୍ରତିଶତ ସୁସ୍ଥ ହୋଇଛନ୍ତି । ୩୫ ପ୍ରତିଶତ ସଂକ୍ରିୟ ସଂକ୍ରମିତ ରହିଛନ୍ତି ।

ସମ୍ବନ୍ଧିତ ଖବର