ବାକି ରହିଗଲା ଆହୁରି ୩ଟି ଆସନରେ ପ୍ରାର୍ଥୀ ଘୋଷଣା : କଟକ, କେଉଁଝର ଓ ଢେଙ୍କାନାଳ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

ଭୁବନେଶ୍ୱର : ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୯ ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ଖାସକରି ବିଜେଡି ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆହୁରି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେଡି କେନ୍ଦ୍ରାପଡା ଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ, କେଉଁଝର ଓ ଢେଙ୍କାନାଳ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ନ କରିବା ରାଜନୈତିକ ମହଲରେ ବଡ ସସପେନ୍ସ ଛିଡା କରିଛି ।

ପ୍ରାର୍ଥୀ ଘୋଷଣା ପୂର୍ବରୁ କେନ୍ଦ୍ରାପଡାକୁ ନେଇ ବିଜେଡି ଅଧିକ କନଫ୍ୟୁଜନରେ ପଡିଥିବା ଚର୍ଚ୍ଚା ହେଉଥିଲା । ଏପରିକି କେନ୍ଦ୍ରାପଡାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ସସପେନ୍ସ ଭାବେ ଉଭା ହୋଇଥିଲା । କିନ୍ତୁ ଅନ୍ୟ ଆସନ ଗୁଡିକୁ ନେଇ ସେଭଳି କୌଣସି ଦ୍ୱନ୍ଦ ରହିନଥିବା ବେଳେ କାହିଁକି ଏହି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ତାହା ସମସ୍ତଙ୍କୁ ହତଚକିତ କରିଛି। ଅବଶ୍ୟ ଏହି ତାଲିକାରେ କଟକ ଭଳି ହାଇପ୍ରୋଫାଇଲ ଆସନ ରହିଛି ସତ କିନ୍ତୁ କଟକରେ ପ୍ରାର୍ଥୀତ୍ୱକୁ ନେଇ ସେଭଳି କୌଣସି କନଫ୍ୟୁଜନ କିମ୍ବା ଚର୍ଚ୍ଚା ହେଉନଥିଲା । ଏହାପରେ ମଧ୍ୟ ତୃତୀୟ ପର୍ଯ୍ୟାୟର ତାଲିକା କାହିଁକି ଅଧାରେ ଅଟକିଗଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।

ତେବେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କଟକରୁ ବିଜେପି ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଶିବିରରେ ମାନସମନ୍ଥନ ଆରମ୍ଭ ହୋଇଛିି । ଏପରିକି ଦଳ କଟକରୁ ଏବେ ସାଂସଦ ଥିବା ଭର୍ତ୍ତୃହରିଙ୍କୁ ନେଇ ଦ୍ୱନ୍ଦରେ ରହିଛି । ଭର୍ତ୍ତୃହରିଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇବ ନା ପ୍ରକାଶଙ୍କ ବିରୋଧରେ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିବ ତାହାକୁ ନେଇ ବିଜେଡିର ଥିଙ୍କ୍ ଟ୍ୟାଙ୍କ୍ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କଟକ ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି ବୋଲି ଶୁଣାଯାଉଛି ।

ସେହିଭଳି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢିବାକୁ ମନା କରିବା ପରେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କନଫ୍ୟୁଜନରେ ପଡିଛି । ନିର୍ବାଚନର ଦିନ କେଇଟା ପୂର୍ବରୁ ତଥାଗତଙ୍କ ଏଭଳି ନିଷ୍ପତି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାକୁ ବିଳମ୍ବିତ କରୁଥିବା ଚର୍ଚ୍ଚା ହେଉଛି । ଦଳ ଏଠାରେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି। ଯିଏ ତଥାଗତଙ୍କ ସ୍ଥାନକୁ ପୂରଣ କରିପାରିବ । ଅନ୍ୟପଟେ କେଉଁଝରକୁ ନେଇ ବିଶେଷ କିଛି ଅସୁବିଧା ନଥିଲେ ମଧ୍ୟ ନବୀନ ଏଠାରେ ମହିଳା କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ସାଂସଦ ଥିବା ଶକୁନ୍ତଳା ଲାଗୁରୀଙ୍କ ସ୍ଥାନରେ ଦଳ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇପାରେ । ଯେଉଁଥିପାଇଁ କେଉଁଝର ଅଙ୍କ ଛିଣ୍ଡୁନଥିବା ଶୁଣିବାକୁ ମିଳୁଛି । ଏଠାରେ ଦଳ ଆସ୍କା ଭଳି ପ୍ରାର୍ଥୀ ଘୋଷଣା କରି ବିରୋଧୀଙ୍କୁ ଚକମା ଦେବା ଲକ୍ଷ୍ୟରେ ରହିଛି ।

ସମ୍ବନ୍ଧିତ ଖବର