ଭୁବନେଶ୍ବର : ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ସ୍ବତନ୍ତ୍ର, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ବତନ୍ତ୍ର ଓ ଖୋର୍ଦ୍ଧାରୋଡ୍-ପୁରୀ-ଖୋର୍ଦ୍ଧାରୋଡ୍ ପାସେଞ୍ଜର ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ସ୍ବତନ୍ତ୍ର(୦୮୫୦୩/୦୮୫୦୪) ତ୍ରି-ସାପ୍ତାହିକ ଟ୍ରେନ୍‌ ବିଶାଖାପାଟଣାରୁ ସେପ୍ଟେମ୍ବର ୧୧ରୁ ଏବଂ ଅମୃତସରରୁ ୧୫ ତାରିଖରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚ୍‌ଗୁଡ଼ିକ ବଦଳରେ ଏଥିରେ ଆଧୁନିକ ଲିଙ୍କେ-ହୋଫମ୍ୟାନ୍-ବସ୍(ଏଲ୍‌ଏଚ୍‌ବି) କୋଚ୍ ସହ ଚାଲିବ। ଏହି ଟ୍ରେନ୍ ପ୍ରତି ମଙ୍ଗଳବାର, ଶୁକ୍ରବାର, ଶନିବାରରେ ବିଶାଖାପାଟଣା ଓ ପ୍ରତି ବୁଧବାର, ଶନିବାର, ରବିବାର ଅମୃତସରରୁ ରାତି ୧୧ଟା ୫୫ରେ ଛାଡ଼ିବ। ଏହି ଟ୍ରେନ୍‌ ଭୁବନେଶ୍ୱର-ସମ୍ବଲପୁର-ବିଳାସପୁର-କାଟଣି-ମୁରୱାରା-ଝାନ୍ସି-ଆଗ୍ରା କାଣ୍ଟ-ନୂଆଦିଲ୍ଲୀ-ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ।

Advertisment

ସେହିପରି ପୁରୀ-ହାଓଡ଼ା-ପୁରୀ ସ୍ବତନ୍ତ୍ର (୦୮୪୧୦/୦୮୪୦୯) ଟ୍ରେନ୍‌ ପୁରୀରୁ ସେପ୍ଟେମ୍ବର ୧୫ରୁ ରାତି ୧୦ଟା ୪୦ରେ ଏବଂ ହାଓଡ଼ାରୁ ସେପ୍ଟେମ୍ବର ୧୬ରୁ ସନ୍ଧ୍ୟା ୭ଟା ୫ରେ ପ୍ରତିଦିନ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀ ଓ ହାଓଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା, ଖଡ଼ଗପୁର, ମେଛେଦା ଓ ସାନ୍ତ୍ରାଗାଚ୍ଛି ଷ୍ଟେସନ୍‌ରେ ରହଣି କରିବ। ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ବତନ୍ତ୍ର(୦୮୪୦୪/୦୮୪୦୩) ଟ୍ରେନ୍‌ ପୁରୀରୁ ସେପ୍ଟେମ୍ବର ୨୦ରୁ ସନ୍ଧ୍ୟା ୫ଟା ୪୫ରେ ଛାଡ଼ିବାକୁ ଥିବା ବେଳେ ଏହା ସେପ୍ଟେମ୍ବର ୨୧ରୁ ଖୋର୍ଦ୍ଧାରୋଡ୍‌ରୁ ସକାଳ ୭ଟା ୪୫ରେ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ଉଭୟ ଦିଗରୁ ମାଳତିପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ରୋଡ୍‌, ଡେଲାଙ୍ଗ, କଣାସ ରୋଡ୍, ମୋଟାରି ଓ ହରିପୁରଗ୍ରାମ ଷ୍ଟେସନ୍‌ରେ ରହଣି କରିବ।