ଭୁବନେଶ୍ବର: ତିନି ବହୁଚର୍ଚ୍ଚିତ ହତ୍ୟା ମାମଲାର ପୁନଃ ତଦନ୍ତ କରାଯିବ। ସ୍ବାମୀ ଲକ୍ଷ୍ମଣାନନ୍ଦ, ଶିକ୍ଷୟିତ୍ରୀ ମମିତା ମେହେର ଓ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଫାଇଲ୍ ଖୋଲିବା ଲାଗି ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି। ଖୋଦ୍ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇସାରିଛି। ମମିତା ମେହେର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ ମଧ୍ୟ ବିଚାର ପ୍ରକ୍ରିୟାର ଶେଷ ହୋଇନାହିଁ। ସେହିଭଳି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ପୁଲିସ ଏସ୍ଆଇ ଗୋପାଳ ଦାସ ଏବେ ଜେଲ୍ରେ ଏବଂ ଶୁଣାଣି ଆରମ୍ଭ ହୋଇଛି। କିନ୍ତୁ ଏସବୁ ମାମଲାରେ ପୂର୍ବ ସରକାର ଚାପରେ ପୁଲିସ ତଦନ୍ତ ଠିକ୍ ହୋଇନାହିଁ ବୋଲି ବିଜେପି ସରକାର ଅନୁୁଭବ କରୁଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନବ ଦାସ ବିଜେଡି ନେତା ହେଲେ ବି ରାଜ୍ୟର ପୂର୍ବତନ ମନ୍ତ୍ରୀ ଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ହେଁ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନାହିଁ। ଜଣେ ପୁଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କରି ସର୍ବସାଧାରଣରେ ହତ୍ୟା କରିବା ପଛରେ ନିଶ୍ଚୟ ବଡ଼ଧରଣର ରହସ୍ୟ ରହିଛି। ହେଲେ ତଦନ୍ତକାରୀ ସଂସ୍ଥା ସେଭଳି କୌଣସି ରହସ୍ୟ ଉନ୍ମୋଚନ କରିପାରିନାହାନ୍ତି। ସେହିଭଳି ବଲାଙ୍ଗୀରରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଓ କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ତଦନ୍ତ ବି ନିରପେକ୍ଷ ଭାବେ ହୋଇନାହିଁ ବୋଲି ସାଧାରଣରେ ବିଶ୍ବାସ ରହିଛି। ତେଣୁ ଏସବୁ ସ୍ପର୍ଶକାତର ଓ ସମ୍ବେଦନଶୀଳ ମାମଲାର ଫାଇଲକୁ ବିଜେପି ସରକାର ଆଉଥରେ ଖୋଲିବାକୁ ଚାହୁଁଛନ୍ତି। ମନ୍ତ୍ରୀଙ୍କର ଏଭଳି ସୂଚନା ରାଜ୍ୟରେ ପୁଣି ହଇଚଇ ସୃଷ୍ଟିକରିଛି। ଏଥିସହିତ ବିଜେଡିର କାର୍ପଟଦାର ଗୋଷ୍ଠୀ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।
୨୦୦୮ ଅଗଷ୍ଟ ୨୩ରେ ଲକ୍ଷ୍ମଣାନନ୍ଦଙ୍କୁ ତାଙ୍କ ଆଶ୍ରମରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ପରବର୍ତ୍ତୀ ସମୟରେ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ମାମଲାର ବିଚାର କରି କୋର୍ଟ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିସାରିଛନ୍ତି। କ୍ରାଇମ୍ବ୍ରାଞ୍ଚ୍ ଏହି ମାମଲାର ତଦନ୍ତ କରିଥିଲା। କିନ୍ତୁ ସେବେଠୁ ବିଜେପି ଏହି ମାମଲା ସିବିଆଇ ତଦନ୍ତ ଦାବି କରିଆସୁଥିଲା। ପରବର୍ତ୍ତୀ କାଳରେ ଏହି ହତ୍ୟାକାଣ୍ଡକୁ ନେଇ ଦୁଇ ଦୁଇଟି କମିସନ ଗଠନ କରାଯାଇଥିଲା। ମାତ୍ର କମିସନଙ୍କ ରିପୋର୍ଟକୁ ସରକାର ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି।
ସେହିଭଳି ୨୦୨୧ ଅକ୍ଟୋବର ୧୯ରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। ଏକ ଘରୋଇ ସ୍କୁଲ୍ର ପ୍ରତିଷ୍ଠାତା ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ରଚିଥିଲେ। ପରେ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା। ୨୦୨୨ ଡିସେମ୍ବରରେ ଗୋବିନ୍ଦ ଜେଲ୍ରେ ଆତ୍ମହତ୍ୟା କରିଥିଲେ। ଏହା ଏକ ସନ୍ଦେହଜନକ ଘଟଣା ଥିଲା। ସେତେବେଳେ ଏହି ମାମଲାରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ପୁଲିସ ତଦନ୍ତରେ ତାଙ୍କୁ କ୍ଲିନ୍ଚିଟ୍ ମିଳିଥିଲା। ଏହାକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ଦେଖାଯାଇଥିଲା। ୨୦୨୩ ଜାନୁଆରି ୨୯ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା। ତାଙ୍କ ସୁରକ୍ଷା କର୍ମୀଙ୍କ ଭିତରେ ପୁଲିସ ଏସ୍ଆଇ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା।